ବିସିସିଆଇରେ କଣ ଚାଲିଛି ? ଚାଲନ୍ତୁ ଆରଟିଆଇ ଫାଇଲ କରିବା
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ ସୂଚନା ଅଧିକାରୀ ଆଇନ (ଆରଟିଆଇ)ର ଅନ୍ତର୍ଭୁକ୍ତ ହେବ । ବିସିସିଆଇ ଏଣିକି ଦେଶବାସୀଙ୍କୁ ଉତ୍ତର ଦେବାକୁ ବାଧ୍ୟ ହେବ । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ । ଅର୍ଥାତ ଜଣେ ଖେଳାଳୀ କେଉଁ କାରଣରୁ ଚୟନ ହୋଇପାରିଲେ ନାହିଁ, କେଉଁ କାରଣରୁ ଟିମରୁ ବାଦ ପଡ଼ିଲେ ଅଥବା ଦେଶରେ କ୍ରିକେଟର ଉନ୍ନତି କ୍ଷେତ୍ରରେ ବିସିସିଆଇ ନିଜ ପାଣ୍ଠିର କିଭଳି ଉପଯ଼ୋଗ କରୁଛି, ତାହା ଜଣେ ସାଧାରଣ କ୍ରିକେଟପ୍ରେମୀ ନିଜ ସୂଚନା ପାଇବାର ଅଧିକାର ବଳରେ ପାଇପାରିବେ ।
କେନ୍ଦ୍ରୟ ସୂଚନା କମିଶନ ନିଜ ରାୟରେ କହିଛନ୍ତି ଯେ ବିସିସିଆଇର କାର୍ଯ୍ୟ, ତାହାର କାର୍ଯ୍ୟପରିସର ଓ କାର୍ଯ୍ୟର ପ୍ରକୃତି ଦୃଷ୍ଟିରୁ ତାହା ସୂଚନା ଆଇନର ଧାରା ୨(ଏଚ) ର ଅନ୍ତର୍ଭୁକ୍ତ ହେଉଛି । କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀଧର ଆଚାର୍ଯ୍ୟଲୁ କହିଛନ୍ତି ଯେ ଦେଶରେ କ୍ରିକେଟ କ୍ଷେତ୍ରରେ ବିସିସିଆଇର ଏକାଧିପତ୍ୟ ରହିଛି । ସେ ମଧ୍ୟ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ, ସହକାରୀ ସୂଚନା ଅଧିକାରୀ ଓ ପ୍ରଥମ ଅଭିଯୋଗ ଅଧିକାରୀ ନିଯୁକ୍ତ ପାଇଁ ବିସିସିଆଇ ଅଧ୍ୟକ୍ଷ, ସଚିବ ଓ ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିଆଇସିଙ୍କ ଏହି ନିର୍ଦ୍ଦେଶ ପରେ ଲୋକମାନେ ଏଣିକି ଆରଟିଆଇ ଆବେଦନ କରି ବିସିସିଆଇଠାରୁ ତଥ୍ୟ ମାଗିପାରିବେ ।