ସମଗ୍ର ରାଜ୍ୟରେ ରୁ ବୁଷ୍ଟର ଡୋଜ୍ ବା ପ୍ରିକସନାରୀ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷରୁ ଊଦ୍ଧ୍ୱର୍ ବହୁବିଧ ରୋଗରେ ପୀଡିତ ନାଗରିକଙ୍କୁ ଏହି ଡୋଜ୍ ଦିଆଯାଉଛି । କୋ-ୱିନ୍ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ହିତାଧିକାରୀ ପୂର୍ବ ଭଳି ସ୍ଲଟ ବୁକିଂ କରି କିମ୍ବା ନିଜର ପରିଚୟ ପତ୍ର ଦେଖାଇ ସିଧାସଳଖ ଟିକାକରଣ କେନ୍ଦ୍ରରେ ଟିକା ନେବାର ବ୍ୟବସ୍ଥା କରାଯାଇଛି । ତେବେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବୁଷ୍ଟର ଡୋଜ୍ ଟିକା ନେଇପାରିବେ ବୋଲି କୁହାଯାଇଛି । ହିତାଧିକାରୀ ଯେଉଁ କେନ୍ଦ୍ରରେ ଦ୍ୱିତୀୟ ଡୋଜ୍ ଟିକା ନେଇଥିବେ, ସେଠାରେ ତା’ର ପ୍ରମାଣ ଦାଖଲ କରି ବୁଷ୍ଟର ଡୋଜ୍ ମଧ୍ୟ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ରାଜ୍ୟରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ଲୋକ ଏହି ଟିକା ନେବେ ।
ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ କରୋନା ବୁଷ୍ଟର୍ ଡୋଜ୍ ଟିକାକରଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ପ୍ରଥମେ ଡକ୍ଟର ପାତ୍ର ଏହି ଟିକା ନେଇ କହିଛନ୍ତି, ଏହି ଟିକାକରଣ କୋଭିଡ୍ ତଥା ଓମିକ୍ରନ୍ ସଂକ୍ରମଣ ରୋକିବାରେ ସଫଳ ହେବ ।
ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଯାତ୍ରୀନିବାସ ଏବଂ କଲ୍ୟାଣ ମଣ୍ଡପରେ ଟିକା ପ୍ରଦାନ କରାଯାଉଛି । ଜିଲ୍ଲାରେ ୩୫ ହଜାର ହିତାଧିକାରୀଙ୍କୁ ଏହି ଟିକା ଦିଆଯିବ ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ସହର ମଧ୍ୟରେ ୪ଟି ଟିକାକରଣ କେନ୍ଦ୍ର ସମେତ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଷ୍ଟର୍ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଏହାଛଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ବୁଷ୍ଟର ଡୋଜ୍ ଟିକା ଦିଆଯାଉଛି ।
ପ୍ରଥମ ଦିନରେ ୧୬ଟି କେନ୍ଦ୍ରରେ ଏହି ଟିକା ଦିଆଯାଇଛି । ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ ଏବଂ ୨ଟି ପୌରାଞ୍ଚଳର ଟିକାକରଣ କେନ୍ଦ୍ରରେ ବୁଷ୍ଟର୍ ଡୋଜ୍ ଟିକା ଦିଆଯାଉଛି
ରାଜ୍ୟରେ ଆଜି ୪୧୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ କରୋନାଜନିତ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୩୧କୁ ବୃଦ୍ଧି ପାଇଛି । ତେବେ ୩୦ଟି ଜିଲ୍ଲାରୁ ଆଉ ୪ ହଜାର ୮୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କକେରାନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୫ ହଜାର ୬୯୮ରେ ପହଞ୍ଚିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨ ହଜାର ୮୨୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୪୪୮ ଜଣ ଚିହ୍ନଟ ହୋଇଛନ୍ତି ।
ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧, ବାଲେଶ୍ୱରରୁ ୨୧୦, ଝାରସୁଗୁଡ଼ାରୁ ୧୮୯, ମୟୂରଭଞ୍ଜରୁ ୧୬୨, ପୁରୀରୁ ୧୩୦, ବଲାଙ୍ଗିର ଜିଲ୍ଲାରୁ ୧୦୪ ଏବଂ ଷ୍ଟେଟ୍ପୁଲ୍ରୁ ୨୧୯ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଆଜି ଆଉ ୨୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି । ଚିହ୍ନଟ ୨୮ ଜଣଙ୍କ ମଧ୍ୟରୁ ୧୮ ଜଣ ବିଦେଶ ଫେରନ୍ତା ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଗତ୍ସିଂହପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଓମିକ୍ରନ୍ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ
ସୁସ୍ଥ ହୋଇଛନ୍ତି ।