ଭକ୍ତର ସର୍ବ ବିଘ୍ନ ଦୂର କରୁଥିବା, ଓଡ଼ିଶାର ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ
ପିପିଲି,:ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ଗ୍ରାମ ସ୍ଥିତ ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବଦିନାତ୍ମକ ଶାରଦୀୟ ପାର୍ବଣ ଉତ୍ସବ । ଦାଣ୍ଡମୁକୁନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳର ଅନନ୍ୟ ଶକ୍ତିପୀଠ ଭାବେ ପରିଚିତ ଏହି ଦେବୀପୀଠ ଏବେ ଚଣ୍ଡିପାଠରେ ମୁଖରିତ ହେଉଥିବା ବେଳେ ମନୋସ୍କାମନା ପୁରଣ ପାଇଁ ପ୍ରତ୍ୟହ ସଂନ୍ଧ୍ୟାରେ ମାନସୀକଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଏଠାରେ ବେଶ୍ ଭିଡ ପରିଲକ୍ଷିତ ହେଉଛି ।
ମା’ବଗଳାମୁଖୀଙ୍କ ନବଦିନାତ୍ମକ ପାର୍ବଣ ଉତ୍ସବ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ପୀଠର ମୁଖ୍ୟପଣ୍ଡିତ ଦେବାଶିଷ ନନ୍ଦଙ୍କ ତତ୍ତ୍ୱାବଧାନରେ ୪୮ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ନିର୍ବାହିତ ହେଉଅଛି । ଏହି ପ୍ରସିଦ୍ଧ ଶକ୍ତିପୀଠରେ ନବଦିନାତ୍ମକ ପୂଜାତ୍ସୋବ ସମୟରେ ନ’ଟି ବୋଧନ ଦ୍ରବ୍ୟରେ ଠାକୁରାଣୀ ସଂସ୍କାର ହୋଇଥାନ୍ତି । ଏହି ପୀଠରେ ପିତାମ୍ବରୀ ତନ୍ତ୍ର ବିଧାନରେ ଉତ୍କଳୀୟ ପଦ୍ଧତିରେ ମା’ ବଗଳାମୁଖୀୀଙ୍କର ନିତ୍ୟ ପୂଜା, ମଙ୍ଗଳ ଆଳତୀ, ବେଦ ପଠନ, ସୂର୍ଯ୍ୟ ପୂଜା, ଶାଲା ପୂଜା, ରୁଦ୍ରାଭିଷେକ, ପଞ୍ଚସ୍ନାନ, ବୋଧନ, ବେଶ, ବଲ୍ଳଭ, ଚଣ୍ଡୀ ପାଠ, ମଧ୍ୟାହ୍ନ ଧୂପ, ଷୋଡଶପଚାର ପୂଜା ଓ ପହୁଡ ପରେ ସପ୍ତସପ୍ତୀ ଚଣ୍ଡୀ ପାଠ, ସଂନ୍ଧ୍ୟା ଆଳତି, ଷୋଡଶପଚାର ପୂଜା, ତର୍ପଣ, ମାର୍ଜନ, ଜପ, ହୋମ, ପୁଷ୍ପାଞ୍ଜଳୀ, କ୍ଷମାପନା, ସ୍ତ୍ରୋତ ପଠନ, ଦଶବତାର ବେଶ ପରେ ପହୁଡ ନୀତି ସମାପନ ହୋଇଥାଏ । ତପଃଷଷ୍ଠୀ ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି । ଏହି ଅବସରରେ ପୀଠ ପରିସରରେ ନବଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ବିଜୟାଦଶମୀ ଦିନ ଦଶଉପଚାରରେ ପୂଜା ହୋଇ ପୂର୍ଣ୍ଣହୁତି ସଂପନ୍ନ ହୁଏ । ସେହି ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହ ସମସ୍ତ ଭକ୍ତଙ୍କ ପାଇଁ ମନ୍ଦିର ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.