ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍ ନଦୀର କୋପସିଂହା ଓ କୁଡ଼ାବଗାରେ ୪୯୩ କୋଟି ଟଙ୍କା ବ୍ୟୟରେ ଦୁଇଟି ନଦୀବନ୍ଧ ନିର୍ମାଣର ଶୁଭ ଦେଇଛନ୍ତି । ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଫାଇଭ୍-ଟି ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
୨୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କୋପସିଂହା ବ୍ୟାରେଜ୍ ଦ୍ୱାରା ସୁନ୍ଦରଗଡ଼ ପୌରାଞ୍ଚଳ ସମେତ ସଦର ବ୍ଲକ୍ ଓ ଟାଙ୍ଗରପାଲି ବ୍ଳକ୍ର ୧୫ଟି ଗାଁର ୨୮ ହଜାର ୭୧୧ ଜଣ ଲୋକ ସିଧାସଳଖ ଉପକୃତ ହେବେ । ସେହିପରି କୁଡ଼ାବଗା ବ୍ୟାରେଜ୍ ଦ୍ୱାରା ସଦର ବ୍ଲକ୍ ଓ ଟାଙ୍ଗରପାଲି ବ୍ଲକ୍ର ୨୧ଟି ଗାଁର ୧୮ ହଜାର ୫୪୧ ଜଣ ଲୋକ ଉପକୃତ ହେବେ ।
ଏହାଦ୍ୱାରା ପାନୀୟ ଜଳ, ମତ୍ସ୍ୟଚାଷ ଓ ଜୀବନ ଜୀବିକା ସମୃଦ୍ଧିର ସୁଯୋଗ ମିଳିବ । ଏହି ବ୍ୟାରେଜ୍ ଦ୍ୱାରା ଦୁଇଟି ବ୍ଲକ୍ର ୪ ଶହ ଅଣାନବେ ହେକ୍ଟର ଜମି ଜଳସେଚିତ ହେବ ।
ଏହି ଅବସରରେ ସୁନ୍ଦରଗଡ଼ ବ୍ଲକ୍ ପରିସରରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା । ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପୋ ଓ ଜିଲ୍ଲାପାଳ ନିଖିଲ୍ ପୱନ୍ କଲ୍ୟାଣ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।