ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜୁ ଜନତା ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁ ଜନତା ଦଳ ଜିଲ୍ଲା ପରିଷ୍ଠଦ ଗଠନ କରିବା ସୁନିଶ୍ଚିତ ହୋଇଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ୬୫୧ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିଲାବେଳେ ଏଥର ୭୬୫ଟି ଆସନରେ ବିଜୟୀ ହୋଇଛି । ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି ୪୨ଟି ଆସନ ଏବଂ କଂଗ୍ରେସ ଦଳ ୩୭ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିଲାବେଳେ ନିର୍ଦଳୀୟ ପ୍ରାର୍ଥୀମାନେ ୭ଟି ଆସନରେ ବିଜୟୀ ହୋଇଛନ୍ତି ।
ବିଜୁ ଜନତା ଦଳ କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲା ପରିଷଦ ଆସନଗୁଡ଼ିକ ମଧ୍ୟ ବିଜେପିଠାରୁ ଛଡେଇ ନେଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ ଏଥର ମୋଟ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେମାନଙ୍କ ମଧ୍ୟରୁ ୩୬ ହଜାର ୫୨୩ଜଣ ୱାର୍ଡମେମ୍ବର, ୧୨୬ ଜଣ ସରପଞ୍ଚ ଏବଂ ୩୨୬ ସମିତି ସଦସ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।
ରାଜ୍ୟରେ ଗତ ୧୬ ତାରିଖଠାରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କାରଣରୁ ମତଦାନ ବ୍ୟାହତ ହେବାରୁ ଅନେକ ସ୍ଥାନରେ ସାନି ମତଦାନ କରାଯାଇଥିଲା । ଗତ ୩ ଦିନ ଧରି ଭୋଟ ଗଣନା ଚାଲିଥିଲା । ଆଜି ଅପରାହ୍ଣ ସୁଦ୍ଧା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧଭାବେ ଚୂଡାନ୍ତ ଫଳାଫଳ ଘୋଷଣା କରାଯିବ ।