ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାଆ ବିମଳା । ଶାରଦୀୟ ଦୂର୍ଗାପୂଜା ବେଶ୍ ଧୂମଧାମରେ ସ୍ୱତନ୍ତ୍ରରୂପେ ଏଠାରେ ପାଳିତ ହୁଏ ।
ଶାରଦୀୟ ଦୁର୍ଗାପୂଜା ସମୟରେ ମା’ ବିମଳାଙ୍କୁ ନାରାୟଣୀ, ହରଚଣ୍ଡୀ, ବନଦୁର୍ଗା, ବଗଳା, ଭୁବନେଶ୍ୱରୀ, ଉଗ୍ରତାରା, ଜୟଦୁର୍ଗା, ରାଜରାଜେଶ୍ୱରୀ, ସିଂହବାହିନୀ, ମାତଙ୍ଗିନୀ ଏବଂ ଦଶଭୁଜା ବେଶ କରାଯାଏ। ମା’ଙ୍କ ଆକର୍ଷଣୀୟ ବେଶ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଗହଳି ପରିଲକ୍ଷିତ ହୁଏ ।
ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ:
“ରାମେଶ୍ୱରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ”
ଶ୍ରୀଜୀଉଙ୍କ ସକାଳଧୂପ ପରେ ଦୁର୍ଗାମାଧବ ବିମଳାଙ୍କ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି ।ଷୋଳପୂଜାର ପ୍ରଥମ ଆଠଦିନରେ ଏହି ନୀତି ସମ୍ପାଦିତ ହୋଇଥାଏ । ସନ୍ଧ୍ୟାଧୂପ ପରେ ଦୁର୍ଗାମାଧବ ପ୍ରତ୍ୟାବର୍ତ୍ତନ କରନ୍ତି ।
ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ତେବେ ବର୍ଷର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମା କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ ।
ତେବେ ଦୁର୍ଗାପୂଜା ବେଳେ କୌଣସି ମହିଳାଙ୍କୁ ବିମଳାଙ୍କ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଏ ନାହିଁ । ମା’ଙ୍କୁ ଶୀତଳ ଭୋଗ ଓ ସଂକୁଡ଼ି ଭୋଗ କରାଯିବାର ବିଧି ରହିଛି । ସଂକୁଡ଼ି ଭୋଗରେ ଖେଚୁଡ଼ି, ମିଷ୍ଟାନ୍ନ, ବେସର ଓ ଖିରି ପ୍ରସ୍ତୁତ କରାଯାଏ । ଷୋଡ଼ଶ ଉପଚାରରେ ସେବକ ଭୋଗ କରନ୍ତି । ଭୋଗ ପ୍ରସ୍ତୁତ ପାଇଁ ମନ୍ଦିର ପାଶ୍ୱର୍ରେ ଏକ ଅସ୍ଥାୟୀ ରୋଷଘର ନିର୍ମାଣ କରାଯାଏ । ଦୁର୍ଗାପୂଜା ବେଳେ ପ୍ରତ୍ୟହ ଭୋର ୪ଟାରୁ ମା’ଙ୍କ ମନ୍ଦିର ଦ୍ୱାର ଫିଟାଯାଇ ମାଜଣା, ବେଶ, ଆଳତି, ଭୋଗ କରାଯାଏ। ରାତି ୧୧ଟା ସୁଦ୍ଧା ମା’ଙ୍କୁ ପହଡ଼ କରାଯାଏ ।
ମା’ବିମଳାଙ୍କୁ ଛାଗବଳି ଦିଆଯିବାର ପରମ୍ପରା ରହିଛି । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ତିଥିରେ ନିଶାର୍ଦ୍ଧରେ ପଶୁପ୍ରୋକ୍ଷଣ କରାଯାଏ। ସୂର୍ଯ୍ୟୋଦୟ ପୂର୍ବରୁ ସମ୍ପୃକ୍ତ ସ୍ଥାନକୁ ଭଲଭାବେ ସଫା କରାଯାଏ। ତିନିଦିନରେ ଦୁଇଟି ଲେଖାଏଁ ବଳି ଦିଆଯିବାର ବିଧି ରହିଛି। ମା’ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ମାନସିକ ବଳିଗୁଡ଼ିକ ଶ୍ରୀମନ୍ଦିର ପେଜନଳା ନିକଟରେ ଥିବା କାକୁଡ଼ିଖାଇ ଦେବୀଙ୍କ ପୀଠରେ ପକାଯାଏ। ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରାତ୍ରପହଡ଼ ପରେ ଏବଂ ତା’ପରଦିନ ମନ୍ଦିର ଦ୍ୱାର ଖୋଲିବା ପୂର୍ବରୁ ପଶୁପ୍ରୋକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଷୋଳପୂଜା ବେଳେ ମା’ଙ୍କ ନିକଟରେ ପ୍ରତ୍ୟହ ଚଣ୍ଡୀପାଠ କରାଯାଏ।