Sign in
Sign in
Recover your password.
A password will be e-mailed to you.
ନୂଆଦିଲ୍ଲୀ : ଆଜି ବିଜେପି ପକ୍ଷରୁ ଜାରି ନିର୍ବାଚନୀ ଘୋଷଣାପତ୍ରରେ କୁହାଯ଼ାଇଛି ଯ଼େ ଦଳ ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ।
ଏପରି ଘୋଷଣା କରି ବିଜେପି ଦୁଇଟି ଲକ୍ଷ୍ୟ ହାସଲ କରିଛି । ଗୋଟିଏ ହେଉଛି ମଧ୍ୟବିତ୍ତ ଶ୍ରେଣୀଙ୍କ ଭରଷା ହାସଲ କରିବା ଓ ଦ୍ବିତୀୟଟି ହେଉଛି କଂଗ୍ରେସର ନ୍ୟାୟ ସ୍କିମର ମୁକାବିଲା ।
କିଛି ଦିନ ତଳେ କଂଗ୍ରେସ ନିଜ ଘୋଷଣାପତ୍ରରେ ଏହି ନ୍ୟାୟ ସ୍କିମ ଘୋଷଣା କରିଥିଲା । ଏହା ଅନୁସାରେ ଦେଶର ୨୦ ପ୍ରତିଶତ ସବୁଠୁ ଗରିବ ଲୋକମାନଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଏହା ଦ୍ୱାରା କଂଗ୍ରେସ ଗରିବ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । କିନ୍ତୁ କଂଗ୍ରେସର ଏହି ସ୍କିମ ଦେଶର ବିଶାଳ ମଧ୍ୟବିତ୍ତ ଶ୍ରେଣୀଙ୍କ ନିଦ ହଜେଇ ଦେଇଛି । କାରଣ ନ୍ୟାଯସ୍କିମ ପାଇଁ ମଧ୍ୟବିତ୍ତଙ୍କ ମୁଣ୍ଡରେ ଟିକସ ବୋଝ ଆହୁରି ଓଜନିଆ ହେବାର ଆଶଙ୍କା ରହିଛି । ଏଥିପାଇଁ ମଧ୍ୟବିତ୍ତ ବର୍ଗ ନ୍ୟାୟ ସ୍କିମକୁ ନେଇ ସେତେଟା ଖୁସି ନାହାନ୍ତି । ଏହି ପରିସ୍ଥିତିର ଫାଇଦା ଉଠେଇ ବିଜେପି ଟିକସ ଛାଡ ସୀମା ବଢାଇବା ଘୋଷଣା କରିଛି । ଏବେ ମଧ୍ୟବିତ୍ତ ଶ୍ରେଣୀ ଆଗରେ ଦୁଇଟି ବିକଳ୍ପ ଅଛି- ଗୋଟିଏ ହେଉଛି କଂଗ୍ରେସକୁ ଭୋଟ ଦେଇ ଅଧିକ ଟିକସ ବୋଝ ବୋହିବା ଓ ବିଜେପିକୁ ଭୋଟ ଦେଇ ନିଜର ଟିକସ ବୋଝକୁ ଟିକିଏ ହାଲକା କରିବା ।
ଗତ ବଜେଟରେ କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ଆୟକର ଛାଡ ସୀମାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇଦେଇଥିଲେ । ଏହା ଦ୍ୱାରା ଦେଶର ବେତନଭୋଗୀ ମଧ୍ୟବିତ୍ତଶ୍ରେଣୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଏହାକୁ ଆହୁରି ବଢାଇବା ନେଇ ବିଜେପିର ଘୋଷଣା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇପାରେ, କାରଣ ଏହା ଦ୍ୱାରା କଂଗ୍ରେସ ହାତରୁ ମଧ୍ୟବିତ୍ତ ଶ୍ରେଣୀ ଖସିଯ଼ିବାର ଆଶଙ୍କା ବଢିଯ଼ାଇଛି ।