ଭାରତ ତୁର୍କୀରେ ୨୦୧୮ ସେପ୍ଟେମ୍ବର ୭ରେ ଆରମ୍ଭ ହେଉଥିବା ୮୭ତମ ଇଜମିର ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ମେଳାରେ ଏକ ଅଂଶୀଦାର ଦେଶ । ଏହି ବ୍ୟବସାୟିକ ମେଳାରେ ଭାରତ ଏକ ବଡ ବାଣିଜ୍ୟିକ ପ୍ୟାଭିଲିଅନ ‘ସୋର୍ସ ଇଣ୍ଡିଆ’ର ଶୁଭାରମ୍ଭ କରିବ ଯାହା ଜରିଆରେ ଭାରତର ୭୫ଟି କମ୍ପାନୀ ତୁର୍କୀ ଏବଂ ଅନ୍ୟ ପଡୋଶୀ ଦେଶମାନଙ୍କ ସହିତ ଭାରତର ରପ୍ତାନୀ ବଢ଼ାଇବା ଉଦ୍ଦେଶ୍ୟରେ ସମ୍ପର୍କ ବୃଦ୍ଧି କରିବେ ।
ଏହା ସୋର୍ସ ଇଣ୍ଡିଆ ପ୍ୟାଭିଲିଅନର ଏକ ଶୃଙ୍ଖଳା ଯାହାକୁ କି ଭାରତ ବ୍ୟବସାୟିକ ସମ୍ବର୍ଦ୍ଧନ ପରିଷଦ (ଞଚଉଓ) ଭାରତର ରପ୍ତାନୀ ବୃଦ୍ଧି କରିବା ପାଇଁ ସମଗ୍ର ବିଶ୍ୱର ମହତ୍ୱପୂର୍ଣ୍ଣ ବ୍ୟବସାୟିକ ମେଳାରେ ଆୟୋଜିତ କରୁଛି । ଟିପିସିଆଇ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟରେ ବାଣିଜ୍ୟ ବିଭାଗର ବ୍ୟବସାୟିକ ଏବଂ ନିବେଶ ସମ୍ବର୍ଦ୍ଧନ ସଙ୍ଗଠନ । ଏହା ଭାରତ ଏବଂ ବାକି ଦୁନିଆ ମଧ୍ୟରେ ବ୍ୟବସାୟ ଏବଂ ନିବେଶରେ ସହଯୋଗର ନୂତନ ରାସ୍ତା ଅନ୍ୱେଷଣର କାର୍ୟ୍ୟ କରିବ ।
୮୭ତମ ଇଜମିର ଆନ୍ତର୍ଜାତିକ ବ୍ୟବସାୟିକ ମେଳା ଇସ୍ତାନବୁଲ ଏବଂ ଅଙ୍କାରା ବ୍ୟତୀତ ତୁର୍କୀର ସବୁଠାରୁ ବଡ ଜନସଂଖ୍ୟା ବିଶିଷ୍ଟ ଇଜମିର ସହରରେ ସେପ୍ଟେମ୍ବର ୭ରୁ ୧୧ ପର୍ୟ୍ୟନ୍ତ ଚାଲିବ । ମେଳାରେ କେନ୍ଦ୍ରୀଭୂତ ଦେଶ ଭାବେ ଭାରତର ଅଂଶୀଦାରିତା ଥିବା କାରଣରୁ ଭାରତର ଜାତୀୟ ସଂଗୀତ ଗାନ କରାଯିବ ଏବଂ ମେଳାରେ ଲାଗାଯାଇଥିବା ସ୍କ୍ରିନରେ ଭାରତର ତ୍ରିରଙ୍ଗା ପତାକା ମଧ୍ୟ ଉଡିବ । ସୋର୍ସ ପ୍ୟାଭିଲିଅନ ପର୍ୟ୍ୟନ୍ତ କାରବାର ଏବଂ ଆଗନ୍ତୁକଙ୍କୁ ପହଂଚିବା ସହଜ କରିବା ପାଇଁ ବିଶେଷ ସଂକେତ ଲଗାଯିବ ।
ଅଙ୍କାରାରେ ଭାରତର ରାଜଦୂତ ସଂଜୟ ଭଟ୍ଟାଚାର୍ୟ୍ୟ କହିଲେ ଯେ ଭାରତ ଏବଂ ତୁର୍କୀ ମଧ୍ୟରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବଢ଼ାଇବାର ଅଧିକ ସମ୍ଭାବନା ରହିଛି । ସେ କହିଲେ ଯେ ତୁର୍କୀର ବିଶାଳ ବଜାର ଏବଂ ୟୁରୋପୀୟ ବଜାର ପର୍ୟ୍ୟନ୍ତ ପହଞ୍ଚ କାରଣରୁ ତୁର୍କୀରେ ଭାରତୀୟ ଉଦ୍ୟୋଗୀମାନଙ୍କର ସଂଯୁକ୍ତ ଉପକ୍ରମ ସ୍ଥାପନ କରିବାର ଅପାର ସମ୍ଭାବନା ରହିଛି ।