କେନ୍ଦ୍ର ଜଳ ସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଦ୍ୱିତୀୟ ପକ୍ଷ (ଜୁଲାଇ ୨୫ – ଅଗଷ୍ଟ ୦୮) ପାଇଁ ଅନୁଷ୍ଠିତ ଜଳ ବଞ୍ଚାଅ, ଭିଡ଼ିଓ ବନାଅ, ପ୍ରତିଯୋଗିତାରେ ପୁରସ୍କାର ପାଅ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପାଟଣାର ମହମ୍ମଦ ଅମଜାଦ୍, କର୍ଣ୍ଣାଟକ, ତୁମକୁରର ସୁପ୍ରୀତ ଦେବ ଏବଂ ଚମ୍ପାରଣର ଶ୍ରୀ ଚନ୍ଦନ କୁମାର ଯଥାକ୍ରମେ ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ଲାଭ କରିଛନ୍ତି । ବିଜୟୀ ପ୍ରତିଯୋଗୀମାନଙ୍କ ପ୍ରଥମ ପୁରସ୍କାର ସ୍ୱରୂପ ୨୫,୦୦୦/-, ଦ୍ୱିତୀୟ ପୁରସ୍କାର ପାଇଁ ୧୫,୦୦୦/- ଏବଂ ତୃତୀୟ ପୁରସ୍କାର ବାବଦରେ ୧୦,୦୦୦/- ଟଙ୍କା ମିଳିବ ।
ମନ୍ତ୍ରଣାଳୟ ପକ୍ଷରୁ ଜଳ ବଞ୍ଚାଅ, ଭିଡ଼ିଓ ବନାଅ ଏବଂ ପ୍ରତିଯୋଗିତାରେ ପୁରସ୍କାର ପାଅ ପ୍ରତିଯୋଗିତା ଭାରତ ସରକାରଙ୍କ ମାଇଁଗଭ୍ ପୋର୍ଟାଲ ସହଯୋଗିତାରେ ଆରମ୍ଭ କରାଯାଇଥିଲା । ଦେଶର ଜନସାଧାରଣଙ୍କ ମଧ୍ୟରେ ଜଳ ସଂରକ୍ଷଣ ଜନିତ ସଚେତନତା ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ।
ଏହି ପ୍ରତିଯୋଗିତାରେ ଯେକୌଣସି ଭାରତୀୟ ନାଗରିକ ଅଂଶ ଗ୍ରହଣ କରିପାରିବେ । ଏଥିପାଇଁ ସେମାନଙ୍କୁ ଜଳ ସଂରକ୍ଷଣର ଅଭିନବ ଉପାୟ ସଂପର୍କରେ କୌଣସି ଗୋଟିଏ ନିଜସ୍ୱ ମୂଳ ଭିଡ଼ିଓ ପ୍ରସ୍ତୁତ କରିବାକୁ ହେବ । ସେମାନେ ନିଜର ଏହି ଏଣ୍ଟ୍ରିକୁ ମାଇଁଗଭ୍ ପୋର୍ଟାଲରେ ଥିବା ଙ୍ଗଙ୍ଗଙ୍ଗ.ଜ୍ଞଚ୍ଚଶକ୍ଟଙ୍ଖ.ସଦ୍ଭ. ପ୍ରତିଯୋଗିତା ପୃଷ୍ଠାରେ ଅପଲୋଡ଼ କରିପାରିବେ । ପ୍ରତ୍ୟେକ ପକ୍ଷରେ ଆସନ୍ତା ନଭେମ୍ବର ୪ ତାରିଖ ପର୍ୟ୍ୟନ୍ତ ତିନିଜଣ ପ୍ରତିଯୋଗୀଙ୍କୁ ଏହି ପୁରସ୍କାର ମିଳିବ ।
କେନ୍ଦ୍ର ଜଳ ସଂପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ଦେଶର ବିଭିନ୍ନ ଭାଗରେ ଜଳ ସଂରକ୍ଷଣ, ଜଳର ସର୍ବାଧିକ ଉପଯୋଗ ଏବଂ ଜଳସଂପଦ ବିକାଶ ଓ ପରିଚାଳନାର ଅଭିନବ ଉପାୟ, ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନ ସଂପର୍କରେ ଭିଡ଼ିଓମାନ ପ୍ରସ୍ତୁତ କରି ଉପରୋକ୍ତ ପୋର୍ଟାଲରେ ଅପଲୋଡ଼ କରିପାରିବେ । ଏହି ଭିଡ଼ିଓ ସଂପୂର୍ଣ୍ଣ ରୂପେ ସେମାନଙ୍କ ମୂଳ ଭିଡ଼ିଓ ହୋଇଥିବା ବାଂଛନୀୟ । ଏହି ଭିଡ଼ିଓର ଅବଧି ସର୍ବନିମ୍ନ ଦୁଇ ମିନିଟର ଏବଂ ସର୍ବାଧିକ ଦଶ ମିନିଟର ହୋଇଥିବ ଏବଂ ସେ ସଂପର୍କରେ ହିନ୍ଦୀ, ଇଂରାଜୀ କିମ୍ବା ଅନ୍ୟ ଯେକୌଣସି ଆଞ୍ଚଳିକ ଭାଷାରେ ତାହା ବର୍ଣ୍ଣନା କରାଯାଇଥିବ ଯାହାକି କୌଣସି ମତେ ଭାରତୀୟ କପିରାଇଟ ଆଇନ ୧୯୫୭କୁ ଉଲ୍ଲଙ୍ଘନ କରୁନଥିବ ଅଥବା କୌଣସି ତୃତୀୟ ପକ୍ଷଙ୍କ ବୌଦ୍ଧିକ ସଂପତ୍ତି ଅଧିକାରକୁ ବ୍ୟାହତ କରୁନଥିବ ।