ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର ପରଲୋକ ଘଟିଛି । ସେ କିଛିଦିନ ହେବ କରୋନାରେ ସଂକ୍ରମିତ ହୋଇ
ଚିକିତ୍ସିତ ହେଉଥିଲେ । ସେ ୨୦ରୁ ଅଧିକ ଚଳଚ୍ଚିତ୍ର ଏବଂ ୨ ହଜାରରୁ ଅଧିକ ଓଡ଼ିଆ ଆଲବମ୍ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ସେ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।
ଶାନ୍ତିରାଜ ଖୋସଲାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକପ୍ରକାଶ କରିଛନ୍ତି । ସେ କହିଛନ୍ତି, ଓଡ଼ିଆ ସିନେଜଗତର ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତରାଜ ଖୋସଲାଙ୍କ ବିୟୋଗ ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ । ଏଥିସହ ସେ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।