ଏସ୍‌ବିଆଇ ପକ୍ଷରୁ ବିଦେଶ ରେମିଟାନ୍‌ସ ପାଇଁ ଭିମ୍ ଏସ୍‌ବିଆଇପେ’ର ଶୁଭାରମ୍ଭ

95

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ୍ ଭାରତ ଓ ସିଙ୍ଗାପୁର ମଧ୍ୟରେ ବାସ୍ତବ ସମୟ ପେମେଂଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ୟୁପିଆଇ ଓ ପେ’ନାଓ ଜରିଆରେ ଏହି ବ୍ୟବସ୍ଥା ସୁଦୃଢ଼ ହୋଇଛି । ଏହି ସୀମାପାର ପେମେଂଟ୍ ବ୍ୟବସ୍ଥାରେ ସହଯୋଗୀ ହୋଇଥିବାରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗର୍ବିତ ମନେ କରୁଛି । ଏସବିଆଇ ଭିମ୍ ଏସ୍‌ବିଆଇପେ ମୋବାଇଲ୍ ଆପ୍ ଜରିଆରେ ଏହିସେବା ପ୍ରଦାନ କରାଯାଉଛି । ୟୁପିଆଇ ଆଇଡିକୁ ବ୍ୟବହାର କରି ସିଙ୍ଗାପୁରରୁ ଭାରତକୁ ଏବଂ ପଂଜୀକୃତ ମୋବାଇଲ୍ ନମ୍ବର ଜରିଆରେ ଭାରତରୁ ସିଙ୍ଗାପୁରକୁ ପାଣ୍ଠି ପଠାଇହେବ ।
ଭାରତ ଓ ସିଙ୍ଗାପୁର ମଧ୍ୟରେ ସୀମାପାର ପେମେଂଟ୍ ପାଇଁ ଭିତିଭୂମି ବିକାଶ କରିବା ଦିଗରେ ୟୁପିଆଇ ପେ’ନାଓ ଲିଙ୍କେଜ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଦ୍ରୁତ, ସୁଲଭ ଓ ଅଧିକ ସ୍ୱଚ୍ଛ ସୀମାପାର ପେମେଂଟ୍‌କୁ ଆଗକୁ ବଢାଇବା ଲାଗି ଜି୨୦ ଦେଉଥିବା ପ୍ରାଥମିକତା ଅନୁସାରେ ଏହି ସୁବିଧା ଆରମ୍ଭ କରାଯାଇଛି । ବିଶ୍ୱବ୍ୟାଙ୍କ ଦ୍ୱିପାକ୍ଷିକ ରେମିଟାନ୍ସ ମେଟ୍ରିକ୍‌ସ ଡିସେମ୍ବର ୨୦୨୨ ଅନୁସାରେ ୨୦୨୧ରେ ସିଙ୍ଗାପୁର ଓ ଭାରତ ମଧ୍ୟରେ ଅନ୍ତର୍ଦେଶୀୟ ରେମିଟାନ୍‌ସ ପରିମାଣ ଥିଲା ୯୪୯ ନିୟୁତ ଡଲାର ।
ପ୍ରଥମ ସୀମାପାର କାରବାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ମନେଟାରି ଅଥରିଟି ଅଫ୍ ସିଙ୍ଗାପୁର ରବି ମେନନଙ୍କ ଦ୍ୱାରା ସମ୍ପାଦିତ କରାଯାଇଥିଲା । ଭିମ୍ ଏସ୍‌ବିଆଇପେ’କୁ ଶକ୍ତିକାନ୍ତ ବ୍ୟବହାର କରିଥିଲେ ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, “ଭାରତ ଓ ସିଙ୍ଗାପୁରର ଦୁଇ ପେମେଂଟ୍ ବ୍ୟବସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ ଦ୍ୱାରା ଏହି ଦୁଇ ଦେଶର ବାସିନ୍ଦାମାନେ ଦ୍ରୁତ ଓ ଅଧିକ ସୁଲଭ ମୂଲ୍ୟରେ ସୀମାପାର ରେମିଟାନ୍ସ ପେମେଂଟ୍ କରିପାରିବେ । ଏହା ସିଙ୍ଗାପୁରରେ ଥିବା ଭାରତୀୟ, ପେସାଦାର, ଛାତ୍ରଛାତ୍ରୀ ଏବଂ ଶ୍ରମିକମାନଙ୍କୁ ସଙ୍ଗାପୁରରୁ ଭାରତକୁ ଏବଂ ଭାରତରୁ ସିଙ୍ଗାପୁରକୁ ସୁଲଭ ମୂଲ୍ୟରେ ତତ୍କାଳ ପାଣ୍ଠି ସ୍ଥାନାନ୍ତର କରିପାରିବେ ।’’
ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗ୍ କହିଛନ୍ତି ଯେ, “ସିଙ୍ଗାପୁର ଓ ଭାରତ ମଧ୍ୟରେ ସୀମାପାର ଖୁଚୁରା ପେମେଂଟ୍ ଓ ରେମିଟାନ୍‌ସ ପରିମାଣ ହେଉଛି ବାର୍ଷିକ ୧ ବିଲିଅନ୍ ଡଲାରରୁ ଅଧିକ । ଆମେ ପ୍ରଗତିଶୀଳ ଭାବେ ଅଧିକ ବ୍ୟବହାରକାରୀ ଏବଂ ମାମଲା ଯୋଡ଼ୁଥିବା ବେଳେ ୟୁପିଆଇ-ପେନାଓ ଲିଙ୍କେଜ୍ ବ୍ୟବହାରକାରିତାକୁ ବଢ଼ାଇବ ଏବଂ ଆମ ବାଣିଜ୍ୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ।’’
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା କହିଛନ୍ତି ଯେ, “ଏହି ଚମତ୍କାର ଅଭିଯାନ ସହ ଯୋଡ଼ି ହୋଇଥିବାରୁ ଆମେ ଅତ୍ୟନ୍ତ ଗର୍ବିତ । ଭାରତ ସରକାରଙ୍କ ଡିିଜିଟାଇଜେସନ୍ ଅଭିଯାନକୁ ସୁଦୃଢ଼ କରିବାରେ ଏହା ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ ଏବଂ ବ୍ୟବହାରକାରୀମାନଙ୍କୁ ସହଜ ଏବଂ ନିରବିଚ୍ଛିନ୍ନ ସୀମାପାର ପେମେଂଟ୍ ସୁବିଧା ପ୍ରଦାନ କରିବ ।’’

Comments are closed, but trackbacks and pingbacks are open.