ଭାରତକୁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇଛି

0 1,228

ଭାରତକୁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇ.ଏସ୍‍.ଓ. କଣ୍ଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବ୍‍ଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍‌ କରିଛନ୍ତି, କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦି ଆରବରୁ ୬୦ ଟନ୍‌ ତରଳ ମେଡ଼ିକାଲ ଅକ୍ସିଜେନ ଓ ୩ଟି ଆଇ.ଏସ୍‍.ଓ. କଣ୍ଟେନର ଆସୁଅଛି । ଏହି କଣ୍ଟେନର ଜୁନ ୬ରେ ମୁମ୍ବାଇରେ ପହଞ୍ଚିବ । ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇ.ଏସ୍‍.ଓ. କଣ୍ଟେନର ସାଉଦି ଆରବରୁ ଆସିବା ନେଇ ସେ ସୂଚନା ଦେଇଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୧୮୮ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୪ ହଜାର ୨୬ ଜଣ ରହିଥିବାବେଳେ ୩ ହଜାର ୧୬୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୪୭ ହଜାର ୧୪୩କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୬୯୦, ଅନୁଗୁଳରୁ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬ ଏବଂ ଷ୍ଟେଟ୍‍ପୁଲରୁ ୨୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହିତ କରୋନାଜନିତ ମୋଟ୍‍ ମୃତ୍ୟୁ ସଂଖ୍ୟା ୨ ହଜାର ୬୮୬କୁ ବୃଦ୍ଧି ପାଇଛି । ତେବେ ଆଜି ୧୧ ହଜାର ୫୧୩ ଜଣ ଆରୋଗ୍ୟଲାଭ କରିବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୫୮ ହଜାର ୬୪୬ରେ ପହଞ୍ଚିଛି । ବର୍ତ୍ତମାନ ୮୫ ହଜାର ୭୫୮ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

ଦେଶରେ ଆଜି ନୂଆ କରୋନା ସଂକ୍ରମଣ ୨ ଲକ୍ଷରୁ ହ୍ରାସ ପାଇଛି । ଗୋଟିଏ ଦିନରେ ୧ ଲକ୍ଷ ୭୩ ହଜାର ୭୯୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୨୯ ହଜାର ୨୪୭କୁ ବୃଦ୍ଧି ପାଇଛି । ତେବେ ସେହି ସମୟ ମଧ୍ୟରେ ୨ ଲକ୍ଷ ୮୪ ହଜାର ୬୦୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଆରୋଗ୍ୟ ହାର ୯୦ ଦଶମିକ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୨ କୋଟି ୫୧ ଲକ୍ଷ ୭୮ ହଜାର ୧୧ ଜଣ ଏହି ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୭୬ ଲକ୍ଷ ୬୯ ହଜାର ୮୭୬ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟର ୭୩୮ଟି ସରକାରୀ ଓ ୧୫ଟି ଘରୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬୬ ହଜାର ୨୨୨ ଜଣଙ୍କୁ ଟିକାକରଣ କରାଯାଇଛି । ଏହି ଟିକାକରଣରେ ୬୨ ଲକ୍ଷ ୫ ହଜାର ୬୪ ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୧୪ ଲକ୍ଷ ୬୪ ହଜାର ୮୧୨ ଜଣ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି । ୧୮ ରୁ ୪୪ ବର୍ଷ ବୟସ ବର୍ଗରେ ୧୧ ଲକ୍ଷ ୪୪ ହଜାର ୧୬୩ ଜଣ, ୪୫ ରୁ ୬୦ ବର୍ଷ ବୟସ ବର୍ଗରେ ୨୬ ଲକ୍ଷ ୨୦ ହଜାର ୪୧୩ ଜଣ ଓ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୨୪ ଲକ୍ଷ ୩୯ ହଜାର ୪୯୦ ଜଣଙ୍କୁ ଟିକା ଦିଆଯାଇଛି ।

Leave A Reply