ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା – ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍‍

108

ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍‍ ପୁରୀକୁ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀଗୁଣ୍ଡିଚା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଓ ସୁନାବେଶକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକ ଚଳାଚଳ କରିବ । ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‍ ୨୯ ତାରିଖରୁ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ଆରମ୍ଭ ହେବ । ଜୁନ୍‍ ୨୯ ଓ ୩୦ରେ ଦୁଇଟି ସାଲିମାର୍‍- ପୁରୀ-ସାଲିମାର୍‍ ରଥଯାତ୍ରା ସ୍ୱତନ୍ତ୍ର ଏକ୍ସପ୍ରେସ୍‍ ଚାଲିବ । ସେହିପରି ଜୁନ୍‍ ୩୦ ଓ ଜୁଲାଇ ୧ ତାରିଖରେ ବିଶାଖାପାଟଣା-ପୁରୀ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବ । ଏହା ବ୍ୟତୀତ ଜୁଲାଇ ୧ ତାରିଖ ଶ୍ରୀଗୁଣ୍ଡିଚା ଦିନ ପାରାଦ୍ୱୀପ, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍‍, କେନ୍ଦୁଝରଗଡ଼ ଆଦି ସ୍ଥାନରୁ ୧୦ ଯୋଡ଼ା ଟ୍ରେନ୍‍ ଯାତାୟାତ କରିବାର ଯୋଜନା ଥିବାବେଳେ ଜୁଲାଇ ୮ ତାରିଖରେ ସାନ୍ଧ୍ୟ ଦର୍ଶନ ପାଇଁ ୭
ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବ ।

ସେହିପରି ଜୁଲାଇ ୯ ତାରିଖ ବାହୁଡ଼ାଯାତ୍ରାରେ ପାରାଦ୍ୱୀପ, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍‍ ଆଦି ସ୍ଥାନରୁ ୧୦ ଯୋଡ଼ା ଓ ସୁନାବେଶ ଅର୍ଥାତ୍‍ ଜୁଲାଇ ୧୦ ତାରିଖ ଦିନ ସମ୍ପୃକ୍ତ ସହରରୁ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ ପୁରୀକୁ ଚଳାଚଳ କରିବ । ସୁନାବେଶ ପରଦିନ ମଧ୍ୟ ଆଉ ୬ଟି ସ୍ୱତନ୍ତ୍ର ଟ୍ରେନ୍‍ ଯାତ୍ରା କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ।


ଏହାବାଦ ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ଆହୁରି ଅଧିକ ଟ୍ରେନ୍‍ ଚଳାଚଳ କରିବାର ସମ୍ଭାବନା ରହିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରଥଯାତ୍ରାରେ ସତର୍କତାମୂଳକ ପଦକ୍ଷେପ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି ।
ରଥଯାତ୍ରାକୁ ଆସୁଥିବା ସମସ୍ତ ଭକ୍ତ ଯେପରି ମାସ୍କ୍‍ ପିନ୍ଧିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ ୧୦ଲକ୍ଷ ମାସ୍କ୍‍ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଜିଲ୍ଲା ପ୍ରଶାସନ ଏହି ମାସ୍କ୍‍ଗୁଡ଼ିକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରିବେ । ଅନ୍ୟ ପକ୍ଷରେ ରଥଯାତ୍ରା ସମୟରେ ଅପମିଶ୍ରିତ ଖାଦ୍ୟ ଯାଞ୍ଚ୍‍ ପାଇଁ ୨୦ରୁ ଅଧିକ ଫୁଡ୍‍ ଇନସ୍‍ପେକ୍ଟରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‍ ଓ ହୋଟେଲ୍‍ ଉପରେ ଚଢ଼ାଉ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍‍ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍‍ ହସ୍ପିଟାଲ୍‍ ଗୁଡ଼ିକୁ ସଚଳ ରଖାଯାଇଛି ଓ ଅତିରିକ୍ତ ୨୦ଟି ଆଇ.ସି.ୟୁ. ପ୍ରସ୍ତୁତ କରି ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

Comments are closed, but trackbacks and pingbacks are open.