ରାଜ୍ୟର ୧୦୭ ବିଜ୍ଞପିତ ଅଞ୍ଚଳ ପରିଷଦ – ଏନ୍.ଏ.ସି. ଓ ପୌରପାଳିକାର ୧ ହଜାର ୭୫୬ କାଉନ୍ସିଲର୍ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଅନୁସୂଚିତ ଜାତିପାଇଁ ୧୨୨, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୧୭୧, ଅନୁସୂଚିତ ଜନଜାତିପାଇଁ ୪୯, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୧୩୩, ସାଧାରଣ ବର୍ଗର
ମହିଳାଙ୍କ ପାଇଁ ୬୧୩ ଏବଂ ଅଣସଂରକ୍ଷିତଙ୍କ ପାଇଁ ୬୬୮ଟି ଆସନ ସଂରକ୍ଷିତ ରଖାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତାଲିକା ପ୍ରକାଶ କରିବା ସହ ପୌର ନିର୍ବାଚନ ଲାଗି ଭୋଟର୍ ତାଲିକା ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା ଫେବୃୟାରୀ ୧୦ରେ ପ୍ରାଥମିକ ଭୋଟର୍ ତାଲିକା ପ୍ରକାଶ ପାଇବ । ଏହାପରେ ୧୧ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଦାଖଲ ହୋଇପାରିବ ।
ତେବେ କରାଯାଇଥିବା ଦାବି ଓ ଆପତ୍ତିଗୁଡ଼ିକର ତଦନ୍ତ ଫେବୃୟାରୀ ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଫଏସଲା କରାଯିବ । ଫେବୃୟାରୀ ୨୪ ତାରିଖରେ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇବ ଏବଂ ୨୮ ତାରିଖ ସୁଦ୍ଧା ଭୋଟର୍ ତାଲିକା ରାଜ୍ୟ ନିର୍ବାଚନ କମିଶନ୍ଙ୍କୁ ପ୍ରଦାନ କରାଯିବ । ଏହାପରେ ନିର୍ବାଚନର ତାରିଖ ଧାର୍ଯ୍ୟ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।