ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଏବଂ ନିବିଡ଼ ସଂପର୍କ ବିଶ୍ୱର ସମସ୍ତ ମାନବ ଜାତିର କଲ୍ୟାଣ ସାଧନ ସହିତ ଓ ସାଂପ୍ରତିକ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ । ଗତକାଲି ନେପାଳର ଲୁମ୍ବିନିଠାରେ ବୁଦ୍ଧପୂର୍ଣ୍ଣିମା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ
ଯୋଗଦେଇ ଶ୍ରୀ ମୋଦୀ କହିଛନ୍ତି, ଭାରତ-ନେପାଳ ସମ୍ପର୍କ ଆଗାମୀ ଦିନରେ ପ୍ରଭୁ ବୁଦ୍ଧଙ୍କ ନୀତି ଅନୁଯାୟୀ ବିଶ୍ୱସ୍ତରୀୟ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ନେପାଳରେ ଲୁମ୍ବିନି ମ୍ୟୁଜିୟମ୍ର ନିର୍ମାଣ ଭାରତ-ନେପାଳ ସମ୍ପର୍କର ଘନିଷ୍ଠତା ଦର୍ଶାଉଛି । ସେ କହିଛନ୍ତି, ଉଭୟ ଦେଶ ଲୁମ୍ବିନି ବୁଦ୍ଧିଷ୍ଟ ବିଶ୍ୱବିଦ୍ୟାଳୟରେ ଡକ୍ଟର ଆମ୍ବେଦକର ଚେୟାର୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବୁଦ୍ଧ ହେଉଛନ୍ତି ମାନବତାକୁ ବୁଝିବାର ଏକ ଶ୍ରେଷ୍ଠ ମାଧ୍ୟମ । ସେ ଆଶାବ୍ୟକ୍ତ କରିଛନ୍ତି, ଭାରତ ଏବଂ ନେପାଳର ଯୁବଗୋଷ୍ଠୀ ସାରା ବିଶ୍ୱରେ ବୁଦ୍ଧଦେବଙ୍କ ଆଦର୍ଶ ଓ ନୀତିର ପ୍ରଚାର ଓ ପ୍ରସାର କରିବେ ।
ବୈଶାଖ ବୁଦ୍ଧପୂର୍ଣ୍ଣିମା ଅବସରରେ ଗତକାଲି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୁମ୍ବିନୀରେ ପହଞ୍ଚିବା ପରେ ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ମୋଦୀ ଲୁମ୍ବିନୀର ପବିତ୍ର ମାୟାଦେବୀ ମନ୍ଦିର ଦର୍ଶନ ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥିବାରୁ ଏହାକୁ ନିଜର ସୌଭାଗ୍ୟ ମନେକରୁଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲୁମ୍ବିନୀ ଗସ୍ତ କରିଥିବାରୁ ନେପାଳର ପ୍ରଧାନମନ୍ତ୍ରୀ ଶ୍ରୀ ଦେଓବା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ୱିଟ୍ କରି ଶ୍ରୀ ଦେଓବା କହିଛନ୍ତି ପ୍ରଭୁ ବୁଦ୍ଧଙ୍କର ଜନ୍ମସ୍ଥାନ ଲୁମ୍ବିନୀକୁ ଶ୍ରୀ ମୋଦୀଙ୍କ ପରିଦର୍ଶନ ସହ ଉଭୟ ଦେଶ ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହୋଇଛି ।
୨୦୧୪ ପରଠାରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପଞ୍ଚମ ନେପାଳ ଗସ୍ତ ଓ ପ୍ରଥମ ଲୁମ୍ବିନୀ ପରିଦର୍ଶନ । ପଡ଼ୋଶୀ ପ୍ରଥମେ ନୀତି ଅନୁଯାୟୀ ଭାରତ-ନେପାଳ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନାପ୍ରଦାନ ଏକ ପରମ୍ପରାରେ ପରିଣତ ହୋଇଛି ଏବଂ ଉଭୟ ଦେଶର ଲୋକମାନେ ଏକ ପ୍ରକାର ପରମ୍ପରା
ଓ ସଭ୍ୟତା ମଧ୍ୟରେ ବଞ୍ଚୁଥିବାରୁ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ଉଚ୍ଚସ୍ତରୀୟ ସମ୍ପର୍କ ମଜବୁତ ହେବାରେ ଲାଗିଛି ।
Comments are closed, but trackbacks and pingbacks are open.