ରାଜ୍ୟରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

0 65

ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍‍ ଗ୍ରହଣ । ଏହି ପର୍ଯ୍ୟାୟରେ ରାଜ୍ୟର ୪୮ ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‍, ୯୭୫ଟି ପଞ୍ଚାୟତ ଏବଂ ୧୩ ହଜାର ୫୧୪ଟି ୱାର୍ଡରେ ମତଦାନ । ଏଥିରେ ୪୧ ଲକ୍ଷ ୮୮ ହଜାର ୩୮୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ପଞ୍ଚମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ଫେବୃୟାରୀ ୨୬, ୨୭ ଓ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଇତିମଧ୍ୟରେ ଭୋଟ ଗଣତି ପାଇଁ ବିଭିନ୍ନ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ଚାଲିଛି । ବ୍ଲକ ମୁଖ୍ୟାଳୟଗୁଡ଼ିକରେ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ବାକ୍ସଗୁଡ଼ିକୁ ଷ୍ଟ୍ରଙ୍ଗ୍‍ରୁମ୍‍ରେ ରଖାଯାଇଛି । ସେଠାରେ ସିସିଟିଭିର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । ଭୋଟ ଗଣତି ପାଇଁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି । ଗଣତି ପୂର୍ବରୁ କୌଣସି ପରିସ୍ଥିତିରେ ଷ୍ଟ୍ରଙ୍ଗ୍‍ରୁମ୍‍ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ
ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ଗ୍ରହଣ ବେଳେ ହିଂସା ଏବଂ ଅନ୍ୟାନ୍ୟ କାରଣରୁ ଏହି କେନ୍ଦ୍ରଗୁଡ଼ିକରେ ମତଦାନକୁ ବାତିଲ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟର ଭଦ୍ରକ, ଢେଙ୍କାନାଳ, ଯାଜପୁର ଏବଂ ପୁରୀ ଜିଲ୍ଲାର ୨୫ଟି ବୁଥ୍‍ ଓ ଦ୍ୱିତୀୟ ପର୍ଯ୍ୟାୟର ବଲାଙ୍ଗିର, ଭଦ୍ରକ, ବୌଦ୍ଧ, ଜଗତ୍‍ସିଂହପୁର, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୨୦ଟି ବୁଥ୍‍ରେ ସାନି ମତଦାନ ହୋଇଛି । ଏହିସବୁ ଭୋଟଗ୍ରହଣ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିବା ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

କଡ଼ା ସୁରକ୍ଷା ମଧ୍ୟରେ ଯାଜପୁର ଜିଲ୍ଲାର ୨୪ଟି ବୁଥ୍‍ରେ ସାନି ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ଯାଜପୁରର ଧର୍ମଶାଳା ବ୍ଲକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦଶରଥପୁର, ବଡଚଣା ବ୍ଲକରେ ମତଦାନ ହୋଇଥିଲା । ଏହି ସମୟରେ ବିଭିନ୍ନ ବୁଥ୍‍ରେ ହିଂସା ଏବଂ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଶାନ୍ତିଶୃଙ୍ଖଳାର ସହ ମତଦାନ ସକାଶେ ପ୍ରତ୍ୟେକ ବୁଥ୍‍ରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା । ଏହାସହ ଜଣେ ଜଣେ ସବ୍‍ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ପ୍ରତି ବୁଥ୍‍ରେ ଏକ ସେକ୍ସନ ପୁଲିସ ଫୋର୍ସ ମଧ୍ୟ ମୁତୟନ
କରାଯାଇଥିଲା ।

ସେହିପରି ଭଦ୍ରକ ଜିଲ୍ଲାର ଚଣ୍ଡିଗାଁ ପଞ୍ଚାୟତର ୪ଟି ମତଦାନ କେନ୍ଦ୍ରରେ ଚଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟରେ ସାନି ମତଦାନ ହୋଇଛି । କେନ୍ଦୁଆପଦାର ଆମ୍ପୋର ପ୍ରାଥମିକ ବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍‍ଗ୍ରହଣ ଶେଷ ହୋଇଛି । ଚଣ୍ଡିଗାଁ ପଞ୍ଚାୟତର ୪ଟି ବୁଥ୍‍ରେ ୧ ହଜାର ୨୫୪ ଜଣ
ମତଦାନ କରିଥିବାବେଳେ ଆମ୍ପୋରଠାରେ ୨୫୮ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଭିନ୍ନ ବୁଥ୍‍ରେ ସିସିଟିଭି ନଜରରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍‍ଗ୍ରହଣ ହୋଇଛି । ପ୍ରାୟ ୮୦ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ
କରାଯାଇଛି ।

ରାୟଗଡ଼ା ଜିଲ୍ଲା ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସାନି ମତଦାନରେ ସାମିଲ୍‍ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଷମକଟକ ବ୍ଲକ୍‍ର କୁର୍‍ଲି ପଞ୍ଚାୟତର ମୁଣ୍ଡବାଲି ବୁଥ୍‍ରେ ଭୋଟ୍‍ ଟ୍ୟାମ୍ପରିଙ୍ଗ୍‍ ଅଭିଯୋଗ ହୋଇଥିଲା । ଏହାପରେ ସାନି ମତଦାନ ପାଇଁ ନିର୍ଦ୍ଦେଶ
ଦିଆଯାଇଥିଲା । ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‍ଗ୍ରହଣ ହୋଇଥିବାବେଳେ ୮୪ ଦଶମିକ ୧ ପ୍ରତିଶତ ମତଦାତା ନିଜର ଅଧିକାର ସାବ୍ୟସ୍ତ କରିଥିବା ଜଣାପଡ଼ିଛି ।

ବୌଦ ଜିଲ୍ଲାର ରକ୍‍ସା ପଞ୍ଚାୟତ ଅନ୍ତର୍ଗତ ଚଉଲିଆପଦର ଗ୍ରାମର ୧ ନମ୍ବର ବୁଥ୍‍ରେ ସାନି ମତଦାନ ହୋଇଛି । ଏଥିରେ ୮୬ ପ୍ରତିଶତ ମତଦାନ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି । ସେହିପରି କେନ୍ଦୁଝର ତେଲକୋଇ ବ୍ଲକ୍‍ କଣ୍ଟାବାହାଲ୍‍ ପଞ୍ଜାୟତର ୧ ନମ୍ବର ବୁଥ୍‍ରେ ପୁନଃ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଏହି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି ।

Leave A Reply