ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ

0 140

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିରେ ୭୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‍ଙ୍କ ପକ୍ଷରୁ ପ୍ରାରମ୍ଭିକ ସୂଚନା ମିଳିଛି । ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ୍‍ଗ୍ରହଣ ଲାଗି ସମୟ ସ୍ଥିର କରାଯାଇଥିଲେ ମଧ୍ୟ ଯେଉଁମାନେ ବୁଥ୍‍ ପରିସର ଭିତରେ ଥିଲେ, ସେମାନଙ୍କୁ ଭୋଟ୍‍ ଦେବାକୁ ଅନୁମତି ଦିଆଯାଇଥିଲା ।


ସୂଚନା ଅନୁଯାୟୀ ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭୧ଟି ବ୍ଲକ୍‍ର ୧ ହଜାର ୬୬୯ ଜଣ ସରପଞ୍ଚ ଓ ସମାନ ସଂଖ୍ୟକ ସମିତି ସଭ୍ୟ, ୨୨ ହଜାର ୩୭୯ ୱାର୍ଡ଼ ସଭ୍ୟ ଏବଂ ୨୦୦ ଜିଲ୍ଲା ପରିଷଦ ସଭ୍ୟଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ଲାଗି ଭୋଟ୍‍ ନିଆଯାଇଛି । କୋଭିଡ୍‍ କଟକଣା ମଧ୍ୟରେ ଭୋଟର୍‍ମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ସମ୍ବେଦଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ତେବେ ଯାଜପୁର ଜିଲ୍ଲାର ସୁଜନପୁର ପଞ୍ଚାୟତରେ ବୁଥ୍‍ ଭିତରେ ଭଙ୍ଗାରୁଜା ସହ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ହସନ୍‍ପୁର ଗାଁ ଦୁର୍ଗାପୁର ଅଙ୍ଗନୱାଡ଼ି କେନ୍ଦ୍ରର ୧ ନମ୍ବର ବୁଥ୍‍ରେ ଏଭଳି ସ୍ଥିତି ଉପାଜିବାରୁ ମତଦାନ ବନ୍ଦ୍‍ ରହିଛି । ସେହିପରି ଯାଜପୁର ଜିଲ୍ଲାର ଏରବାଙ୍କ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଥିବା ଖବର ଆମର ହସ୍ତଗତ ହୋଇଛି ।


ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁର ୯ ନମ୍ବର ବୁଥ୍‍ରେ ମତଦାନ ଚାଲିଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ମତଦାନ କେନ୍ଦ୍ର ଭିତରେ ପ୍ରବେଶ କରି ଭୋଟ୍‍ ବାକ୍ସ ଉଠାଇ ନେଇଥିବା ଖବର ମିଳିଛି । ଫଳରେ ସମ୍ପୃକ୍ତ ବୁଥ୍‍ରେ ମଧ୍ୟ ମତଦାନ କାର୍ଯ୍ୟ ବନ୍ଦ୍‍ ରହିଛି । ଏଥିସହିତ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥ୍‍ରେ ଆଜି ମତଦାନ ବେଳେ ମଧ୍ୟ ଗଣ୍ଡଗୋଳ
ଘଟିଥିବା ଜଣାପଡିଛି । ତିଛିଣି ଗାଁ ଲୋକେ ଭୋଟ ଦେଉଥିବା ବେଳେ ଅନ୍ୟ ଏକ ଗାଁର କିଛି ଲୋକ ସଂଘବଦ୍ଧ ଭାବେ ବୁଥ୍‍ ଭିତରେ ପଶି ଆକ୍ରମଣ କରିଥିଲେ । ଏଥିରେ ୩୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଦୋଗୋଡ଼ା ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ମୌଳିକ ସୁବିଧା ମିଳୁ ନ ଥିବା ଅଭିଯୋଗ ଆଣି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍‍ ଦୁନ୍ଦେଲ୍‍ମାଲ୍‍ ଗ୍ରାମ ପଞ୍ଚାୟତବାସୀ ଏବଂ ବୌଦ ଜିଲ୍ଲା କଣ୍ଟାମାଳରେ ଲୋକେ ଭୋଟ୍‍ ବର୍ଜନ କରିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନର୍‍ ଆଦିତ୍ୟ ପ୍ରସାଦ ପାଢ଼ୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ କିଛି ସ୍ଥାନରେ ବିଶୃଙ୍ଖଳା ହୋଇଥିବାର ଖବର ମିଳିଥିବା କହିଛନ୍ତି । ସେଥିପାଇଁ ଶୃଙ୍ଖଳିତ ନିର୍ବାଚନ ସକାଶେ ଶ୍ରୀ ପାଢ଼ୀ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଯେଉଁସବୁ ଅଞ୍ଚଳରେ ନିର୍ବାଚନୀ ହିଂସା ଘଟିଛି, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ରିପୋର୍ଟ ଦେବାକୁ ରାଜ୍ୟ ନିର୍ବାଚନ କମିଶନର୍‍ କହିଛନ୍ତି ।

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ୍‍ ରହିଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୩ଟି ସ୍ଥାନ ମଧ୍ୟରୁ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଂଚ ପଦବୀ, ୩ଟି ପଂଚାୟତ ସମିତି ସଭ୍ୟ, ୧୩ଟି ୱାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି । ଆଉ ୪ ପର୍ଯ୍ୟାୟ ମତଦାନ ବାକିଥିବା ବେଳେ ଏହି ସମୟରେ ବନ୍ଦ୍‍ ହୋଇଥିବା ସ୍ଥାନରେ ମଧ୍ୟ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି ।


Leave A Reply