ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ପାଇଁ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରୀଶ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି । ଆଜି ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଛତିଶା ନିଯୋଗ ସେବାୟତ ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି ଯେ, ମନ୍ଦିର ଖୋଲାଯିବା ପରେ ମଧ୍ୟ କୋଭିଡ କଟକଣା ଜାରୀ ରହିବ । ମନ୍ଦିର ଖୋଲିବା ପରେ ପ୍ରଥମେ ୪/୫ ଦିନ ପୁରୀ ଲୋକଙ୍କୁ ଦର୍ଶନ ଲାଗି ଅନୁମତି ଦିଆଯିବ । ଅତ୍ୟଧିକ ଭିଡ ହେବାର ସମ୍ଭାବ ଥିବାରୁ ଜାନୁଆରୀ ପହିଲା ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ ।
୩ ତାରିଖରୁ ପୁଣି ସାଧାରଣ ଦର୍ଶନ ଆରମ୍ଭ ହେବ । ସେ କହିଛନ୍ତି ଯେ, ୩ ତାରିଖ ପର ଠାରୁ ପୁରୀ ସହର ସମେତ ବାହାରୁ ଆସୁଥିବା ଲୋକମାନେ ମଧ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ । ଦର୍ଶନ ଲାଗି ଯାଉଥିବା ଲୋକେ ମାସ୍କ ପିନ୍ଧିବା ସହ ସାନିଟାଇଜର୍ ବ୍ୟବହାର କରିବା ବାଧ୍ୟତାମୂଳକ ହେବ । ମନ୍ଦିରର ଚାରି ଦ୍ୱାରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଯୋଗାଇ ଦିଆଯିବ । ଜିଲ୍ଲା ବାହାର ଲୋକଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡିବ । ୬୫ ବର୍ଷରୁ ଅଧିକ ବୟସ୍କ ଲୋକ ଓ ପିଲାଙ୍କୁ ନ ଆଣିବା ଲାଗି ଅନୁରୋଧ କରାଯିବ । ଆସନ୍ତା ୩ ତାରିଖରୁ ପ୍ରତିଦିନ ୫ ହଜାର ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଓ ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ତେବେ ମହାପ୍ରସାଦ ସମସ୍ତେ ପାଇ ପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । କରୋନା ସଂକ୍ରମଣ ଯୋଗୁଁ ବିଗତ ୯ ମାସ ଧରି ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ଲାଗି ବନ୍ଦ ରହିଛି । ଶ୍ରୀମନ୍ଦିର ଖୋଲିବା ଖବର ଅଗଣିତ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦ ଆଣି ଦେଇଛି ।