ଦେଶବ୍ୟାପୀ ଚାଲିଥିବା ସର୍ବବୃହତ୍ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ୧୬୫କୋଟି ଡୋଜ୍ରୁ ଅଧିକ ଟିକାଦାନ କରି ଭାରତଆଉ ଏକ ସଫଳତା ହାସଲ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୬୫ କୋଟି ୫୯ ଲକ୍ଷ ୬୪ହଜାରରୁ ଅଧିକ ଡୋଜ୍ ଟିକାଦାନ କରାଯାଇଥିବା ଜଣାପଡିଛି । ୧ କୋଟି ୧୧ଲକ୍ଷ ୨୯ ହଜାରରୁ ଅଧିକ ବୁଷ୍ଟର ଡୋଜ୍ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।
ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୬୦ପ୍ରତିଶତ ପିଲାଙ୍କୁ ଟିକାଦାନ କରାଯାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ସାଢ଼େ ୪ କୋଟି ୫୫ ଲକ୍ଷ ୪୮ ହଜାରରୁ ଅଧିକ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୫ କୋଟି ୬୮ଲକ୍ଷ ୧୦ହଜାରରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ୪ ଲକ୍ଷ ୪୧ ହଜାରରୁ ଅଧିକ ବୁଷ୍ଟର ଡୋଜ୍ ଦିଆଯାଇଛି ।
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ ୩୦ଟି ଜିଲ୍ଲା ଓ ଷ୍ଟେଟ୍ପୁଲ୍ରୁ ଆଉ ୪ ହଜାର ୮୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୨ ହଜାର ୮୦୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୩୩ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୬୭୧ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ
ସର୍ବାଧିକ ୧ ହଜାର ୨୫୩ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୪୪୩, ନୟାଗଡରୁ ୨୧୦, ମୟୂରଭଞ୍ଜରୁ ୧୭୯, ବାଲେଶ୍ୱରରୁ ୧୬୯, ସୁନ୍ଦରଗଡ଼ରୁ ୧୫୯, କଳାହାଣ୍ଡିରୁ ୧୫୫, ସମ୍ବଲପୁରରୁ ୧୪୯, ନୂଆପଡାରୁ ୧୪୨, ବଲାଙ୍ଗୀରରୁ ୧୪୦, ଯାଜପୁରରୁ ୧୩୪, ନବରଙ୍ଗପୁରରୁ ୧୨୪, ଭଦ୍ରକରୁ ୧୦୬, ଅନୁଗୁଳରୁ ୧୦୪, ରାୟଗଡାରୁ
୧୦୧ ଏବଂ ଷ୍ଟେଟ୍ପୁଲ୍ରୁ ୨୬୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଆଉ ୧୫ ଜଣଙ୍କର ମୃତ୍ୟୁ ଘଟିବା ସହ ରାଜ୍ୟରେ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ ହଜାର ୫୭୫କୁ ବୃଦ୍ଧି ପାଇଛି ।