ଆଗାମୀ ଗୁରୁବାରଠାରୁ ରାଜ୍ୟର କେତେକ ଜିଲ୍ଲାରେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇ କହିଛି, ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳ ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ବଦଳିବ ଏବଂ ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାରେ ଶୀତ ଲହରୀର ସମ୍ଭାବନା ଦୃଷ୍ଟିରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ କଳାହାଣ୍ଡି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬ ଦଶମିକ ୨ ଡିଗ୍ରୀ ସେଲସିୟସ୍ ଫୁଲବାଣୀଠାରେ ରେକର୍ଡ କରାଯାଇଛି । କେନ୍ଦୁଝରଗଡ଼ଠାରେ ୬ ଦଶମିକ ୪ ଡିଗ୍ରୀ ଏବଂ ଅନ୍ୟ ୮ଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ଠୁ ନିମ୍ନରେ ରେକର୍ଡ କରାଯାଇଛି ।