ଭୁବନେଶ୍ୱର ୧୬.୦୪ – ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି ।
ଆଗକୁ ତାତି ଅଧିକ ବଢ଼ିବ ବୋଲି ପାଣିପାଗ ବିଭାଗ ଅନୁମାନ କରିବା ପରେ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁନିର୍ଦ୍ଦେଶ ଦିଆଯାଇଛି । ଏସ୍ଆର୍ସି. ପ୍ରଦୀପ କୁମାର ଜେନା ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଥିବା କୋଭିଡ୍-ନାଇଣ୍ଟିନ୍ ଗାଇଡ୍ ଲାଇନ୍ ଅନୁଯାୟୀ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଜଙ୍ଗଲ କ୍ଷେତ୍ର ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ମାଲ ପରିବହନ ଆଦି କାର୍ଯ୍ୟକ୍ରମ ଚାଲୁ ରହିବ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣୀଚିକିତ୍ସାଳୟକୁ ଚବିଶଘଣ୍ଟିଆ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣର ସମୀକ୍ଷା ପାଇଁ ଜିଲ୍ଲାସ୍ତରରେ ଏକ ସମନ୍ୱିତ ସମିତି ଗଠନ କରାଯାଇଛି ।