ସାମୁଦ୍ରିକ ବାତ୍ୟା ‘ଗୁଲଆବ୍’ ସ୍ଥଳଭାଗ ସ୍ପର୍ଶ କରିସାରିଛି । ଆନ୍ଧ୍ରପ୍ରଦେଶରେ କଳିଙ୍ଗପାଟନମର ମଧ୍ୟ ଭାଗରେ ଏହା ସ୍ଥଳଭାଗ ସ୍ପର୍ଶ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷାସ୍ଥାନେସ୍ଥାନେ ଅତି ପ୍ରବଳ ବର୍ଷା ହେଉଛି । ପବନର ବେଗ ମଝିରେ ମଝିରେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ସୋମବାର ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ଅରେଞ୍ଜ୍ ୱାର୍ଣ୍ଣିଂ ଏବଂ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, କଟକ, ବୌଦ, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାତ୍ୟା ମୁକାବିଲା ନେଇ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଗଜପତି ଜିଲ୍ଲାରେ ବାତ୍ୟା ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଛି । ୫୪ଟି ଆଶ୍ରୟସ୍ଥଳରେ ୨ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଶୁଖିଲା ଏବଂ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଉଦ୍ଧାର କାର୍ଯ୍ୟପାଇଁ ୬ଟି ଓଡ୍ରାଫ୍ ଏବଂ ୨ଟି ଏନ୍.ଡି.ଆର୍.ଏଫ୍. ଦଳ ସମେତ ଅଗ୍ନିଶମ ବିଭାଗର କର୍ମଚାରୀମାନକୁ ନିୟୋଜିତ କରାଯାଇଛି ।
ସେହିଭଳି ରାୟଗଡ଼ା ଏବଂ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ପଦକ୍ଷେପମାନ ଗ୍ରହଣ କରାଯାଇଛି ।
ନବରଙ୍ଗପୁର ଜିଲ୍ଲାର ଦୁଇଟି ବ୍ଲକ କୋଷାଗୁମୁଡା ଓ ନବରଙ୍ଗପୁରର ତଳିଆ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ସହ ରନ୍ଧାଖାଦ୍ୟା ଯୋଗାଇ ଦିଆଯାଉଛି ।