ବାତ୍ୟା ଆଜି ସନ୍ଧ୍ୟାସୁଦ୍ଧା ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପଟ୍ଟନମ୍‍ ଅଞ୍ଚଳ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ -ମୃତ୍ୟୁଞ୍ଜୟ ମହାପାତ୍ର

0 165

ଉତ୍ତର ଓ ତତ୍‍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ପ୍ରଥମେ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷକରି ଗତ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମାଭିମୁଖୀ ହେବା ସହ ସକାଳ ପ୍ରାୟ ୫ଟା ୩୦ମିନିଟ୍‍ ବେଳକୁ ଉତ୍ତର ଏବଂ ତତ୍‍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ।

ବିଶେଷକରି ଏହି ଅବପାତ ଗୋପାଳପୁରର ପୂର୍ବ, ଉତ୍ତର-ପୂର୍ବଠାରୁ ପ୍ରାୟ ୫୧୦ କିଲୋମିଟର ଏବଂ କଳିଙ୍ଗପଟ୍ଟନମ୍‍ର ଉତ୍ତର, ଉତ୍ତର-ପୂର୍ବକୁ ପ୍ରାୟ ୫୯୦ କିଲୋମିଟର ଦୂରରେ ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହି ଅବପାତ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର୍‍ ପ୍ରଦୀପ ଜେନା କହିଛନ୍ତି :

ଏହି ବାତ୍ୟା ପଶ୍ଚିମାଭିମୁଖୀ ହେବାର ସମ୍ଭାବନା ଥିବାରୁ ସନ୍ଧ୍ୟାସୁଦ୍ଧା ବିଶାଖାପାଟଣା, ଗୋପାଳପୁର ଏବଂ କଳିଙ୍ଗପଟ୍ଟନମ୍‍ ଅଞ୍ଚଳ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରକହିଛନ୍ତି :

ସମ୍ଭାବ୍ୟ ବାତ୍ୟା ‘ଗୁଲାବ୍‍’ର ପ୍ରଭାବକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶା ସମେତ ନବରଙ୍ଗପୁର ଜିଲ୍ଲାରେ ରେଡ୍‍ ଆଲର୍ଟ ଜାରି କରାଯାଇଛି । ଅଳ୍ପ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବ ଆକଳନ କରାଯାଇଥିବାବେଳେ ଜିଲ୍ଲାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲାର ଜରୁରୀକାଳୀନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଥିବାବେଳେ ଜଣେ ଅଧିକାରୀଙ୍କୁ ସ୍ଥିତି ନିରୀକ୍ଷଣ ପାଇଁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାର ୧୦ଟି ବ୍ଲକ୍‍ର ସମସ୍ତ ବି.ଡି.ଓ. ଏବଂ ତହସିଲ୍‍ଦାରମାନଙ୍କୁ ସତର୍କ ରହିବା ସହ ରିଲିଫ୍‍ ସାମଗ୍ରୀ ମହଜୁଦ୍‍ ରଖିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷକରି ନବରଙ୍ଗପୁର ଓ ଉମର୍‍କୋର୍ଟ ସହରର ତଳିଆ ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଧିକ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନେଜ୍‍ ବ୍ୟବସ୍ଥାକୁ ସୁସଂହତ କରିବାପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।ପୂର୍ବ କେନ୍ଦ୍ରୀୟ ବଙ୍ଗୋପାସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଅବପାତରେ ପରିଣତ ହୋଇଛି । ରବିବାର ସକାଳ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବା ସହ ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଏହା ଓଡ଼ିଶାର ଦକ୍ଷିଣ ଉପକୂଳ ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ବିଶାଖାପାଟନା ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବ ।

ଏହି ବାତ୍ୟାର ପ୍ରଭାବ ଓଡ଼ିଶାରେ ବିଶେଷ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ । ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା
ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଲଘୁଚାପ ଜନିତ ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସ୍‍.ଆର୍‍.ସି.ଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ ଆୟୁକ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply