ଦ୍ୱାଦଶତମ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱରଠାରେ ଆୟୋଜିତ ହେବ । ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହା ଆୟୋଜିତ ହେବ । ଗତକାଲି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଲୋଗୋଉନ୍ମୋଚନ କରିବା ସହିତ ଟ୍ରଫିର ଅନାବରଣ କରିଥିଲେ । କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ ପାଇଁ ଏଥିଲାଗି ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି ।
ସେହିଭଳି ୨୦୨୩ ମସିହାରେ ମଧ୍ୟ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବ ବୋଲି ଜଣାପଡ଼ିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ହକି ବିଶ୍ୱକପ୍ ଆୟାଜନ କରିବା ଲାଗି ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଐତିହାସିକ ସଫଳତା ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛି । ଏହି ସଫଳତା ଧାରା ଆଗକୁ ବଜାୟ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ଅନ୍ୟପକ୍ଷରେ ଉଜ୍ବେକିସ୍ଥାନର ତାସ୍କେଣ୍ଡ୍ରେ ଆୟୋଜିତ ୧୮ ବର୍ଷରୁ କମ୍ ବାଳିକା ଏସୀୟ ରଗ୍ବୀ-ସେଭେନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ବାଳିକା ରଗ୍ବୀ ଦଳକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏହି ଆର୍ଥିକ ପୁରସ୍କାର ପ୍ରଦାନ କରିବା ସହ ମହିଳା ରଗ୍ବୀ ଦଳର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ।