ଭୁବନେଶ୍ୱର – ମଙ୍ଗଳବାରରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଶେଷକରି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ୩୨୬ ନଂ ଜାତୀୟ ରାଜପଥର ଏମଭି-୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା
ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ପବନ ଓ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଅନେକ ଘର ଭାଙ୍ଗିଥିବାର ସୂଚନା ମିଳିଛି । ସେହିପରି ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାମେଶ୍ୱରପୁରଠାରେ ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ଫୁଟ୍ର ଏକ ଫାଟ ସୃଷ୍ଟି ହୋଇଛି ।
କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ରାଲେଗଡ଼ା ଓ ସୁଙ୍କି ନିକଟରେ ଭୂସ୍ଖଳନ ଘଟିଥିବାରୁ ଘାଟି ରାସ୍ତା ଦେଇ ଗମନାଗମନ ବ୍ୟାହତ ହୋଇଛି । ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ପହଂଚି ରାସ୍ତାରୁ ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି । ଜିଲ୍ଲାପାଳ ଅବଦୁଲ ଅଖତାର ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୁଙ୍କି ମେଡ଼ିକାଲ ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।
ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଛି । କାଶୀନଗରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ସେଠାରେ ବିପଦ ସଂକେତ ୫୩ ଦଶମିକ ୬/୦ ମିଟର ରହିଥିବାବେଳେ ଜଳସ୍ତର ୫୩ ଦଶମିକ ୬/୯ ମିଟରରେ ପ୍ରବାହିତ ହେଉଛି ।
ଅନ୍ୟପକ୍ଷରେ ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ର ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିନଥିବା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରଭାବିତ ଜିଲ୍ଲାର ଜିଲ୍ଳାପାଳମାନଙ୍କୁ ୫ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡାରେ ସାମାନ୍ୟ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରାସ୍ତାରେ ଭୂସ୍ଖଳନ ହୋଇଥିଲା । ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯାଇଥିବା ସେ ସୂଚନା ଦେଇଛନ୍ତି । ବାତ୍ୟା ଆଶଙ୍କାରେ ୪୬ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି । ମୋଟାମୋଟି ଭାବରେ ବର୍ଷା ଓ ପବନ ଯୋଗୁଁ ରାଜ୍ୟରେ ସେଭଳି ବିଶେଷ କ୍ଷୟକ୍ଷତି ଘଟିନଥିବା ସେ ସୂଚନା ଦେଇଛନ୍ତି ।