ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଆରମ୍ଭ

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଶୁଭାରମ୍ଭ

0 629

ନୂଆଦିଲ୍ଲୀ . -କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଠାରେ ବ୍ୟାଟେରୀ ଚାଳିତ ବସ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ଇଣ୍ଡିଆ ଟିଭିର କଂପାନୀ ସାମାଜିକ ଦାୟିତ୍ୱ (ଉଝଜ) ଅନ୍ତର୍ଗତ ଏକ କାର୍ୟ୍ୟକ୍ରମ । ଇଣ୍ଡିଆ ଟିଭିର ଅଧ୍ୟକ୍ଷ ରଜତ ଶର୍ମା, ଏମ୍ସ ନୂଆଦିଲୀର ନିର୍ଦ୍ଦେଶକ ରିତୁ ଧୱନ, ଇଣ୍ଡିଆ ଟିଭିର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ, ପ୍ରୋଫେସର ଓ.ପି. ଖରବନ୍ଦା, ଏମ୍ସ ସିଏସଆରର ଅଧ୍ୟକ୍ଷ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଏମ୍ସ ନୂଆଦିଲୀ ଏବଂ ଇଣ୍ଡିଆ ଟିଭି ମଧ୍ୟରେ ଏକ ବୁଝାମଣାପତ୍ର ଆଦାନ ପ୍ରଦାନ କାର୍ୟ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ ।

 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଥିଲେ ଯେ ଏମ୍ସ ଏକ ଅଗ୍ରଣୀ ଏବଂ ଅଦ୍ୱିତୀୟ ସଂଗଠନ ଯାହା ସଂଖ୍ୟା ଏବଂ ଗୁଣାତ୍ମକମାନ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଏହା ସୁନିଶ୍ଚିତ କରିବା କ୍ଷେତ୍ରରେ ସଂକଳ୍ପବଦ୍ଧ ଯେ ନୂତନ ଏମ୍ସଗୁଡିକ ନୂଆଦିଲୀ ଏମ୍ସ ଭଳି ସେବା ପ୍ରଦାନ କରିବେ । ସେ କହିଥିଲେ ଯେ ସେଗୁଡିକୁ ସର୍ବଶ୍ରେଷ୍ଠ କରିବା ପାଇଁ କୌଣସି ପ୍ରଚେଷ୍ଟାକୁ ବାଦ ଦିଆଯିବ ନାହିଁ । ନଡ୍ଡା କହିଥିଲେ ଯେ ଏମ୍ସ କେବଳ ରାଷ୍ଟ୍ରୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ସ୍ୱାସ୍ଥ୍ୟର ଯତ୍ନ କ୍ଷେତ୍ରରେ ଏକ ବେଞ୍ଚମାର୍କ ପ୍ରତିଷ୍ଠା କରିପାରିଛି ।

 

ଜେପି ନଡ୍ଡା କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବଳିଷ୍ଠ ନେତୃତ୍ୱରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶର ଲୋକମାନଙ୍କୁ ସର୍ବୋତ୍ତମ ଏବଂ ଉଚ୍ଚ ଗୁଣାତ୍ମକ ମାନ ଥିବା ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସଂକଳ୍ପବଦ୍ଧ । ସେ କହିଥିଲେ ଯେ ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ କ୍ଷେତ୍ରରେ ଏକ ବଡ ସଫଳତା ଯେଉଁଥିରେ ୧୦.୭୪ କୋଟି ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସାମିଲ କରାଯିବ । ଏହା ଜରିଆରେ ୫୫ କୋଟିରୁ ଅଧିକ ହିତାଧୀକାରୀଙ୍କୁ ସୁବିଧା ମିଳିପାରିବ । ସେ କହିଥିଲେ ଯେ ସେବା କ୍ଷେତ୍ରରେ ୧୩୫୦ ଅଧିକ ପ୍ରକ୍ରିୟା ସାମିଲ ହେବ ଯେଉଁଥିରେ ଡାକ୍ତରଖାନାରେ ଭର୍ତ୍ତୀ, ନିଦାନ, ଔଷଧ ଆଦିକୁ ସାମିଲ କରାଯାଇଛି ।

 

ଏମ୍ସର ସିଏସଆର ପଦକ୍ଷେପର ଅଂଶବିଶେଷ ଭାବେ ଇଣ୍ଡିଆ ଟିଭି ଦ୍ୱାରା ପ୍ରଦତ୍ତ ୧୦ଟି ବ୍ୟାଟେରୀ ଚାଳିତ ବସର ମରାମତି, ଡ୍ରାଇଭର ଏବଂ ଅନ୍ୟ ସହାୟକ କର୍ମଚାରୀମାନଙ୍କର ବେତନ ସହିତ ଦୁଇ ବର୍ଷ ପାଇଁ ସଂପୂର୍ଣ୍ଣ ଭାବେ ଇଣ୍ଡିଆ ଟିଭି ଦାୟିତ୍ୱ ଗ୍ରହଣ କରିବ ଯାହା ପରବର୍ତ୍ତୀ ଅବସ୍ଥାରେ ନବୀକରଣ କରାଯିବ । ଏହି ବସ ଜରିଆରେ ପ୍ରତିଦିନ ୫ ହଜାର ଲୋକ ଏମ୍ସ କ୍ୟାମ୍ପସ ଭିତରେ ଯିବା ଆସିବା କରିପାରିବେ ।

 

ଏମ୍ସ ନୂଆଦିଲ୍ଲୀ ୨୦୧୭ରେ ନିଜର ସିଏସଆର ନୀତି ପ୍ରସ୍ତୁତ କରିଥିଲା । ଏହାର କାର୍ୟ୍ୟକାରିତା ସଠିକ ଭାବେ କରାଯିବା ପାଇଁ ତିନୋଟି ସିଏସଆର ଉପ ସମିତି ଗଠନ କରାଯାଇଛି ।

Leave A Reply