୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ

0 1,170

ବିଜେପୁର – ୨୦।୧୦- ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ
ଥିବାବେଳେ ଗତକାଲି ସଂଧ୍ୟାରେ ମଧ୍ୟ ପ୍ରଚାର ଶେଷ ହୋଇଛି । ଭୋଟଗ୍ରହଣ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆପାତତଃ ଚୂଡାନ୍ତ ହୋଇଛି । ଏନେଇ ଗତକାଲି ସଂଧ୍ୟାରେ ଭୁବନେଶ୍ୱରଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍‍ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭୋଟ୍‍ଦାନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାପାଇଁ ଏଥର ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ପ୍ରଚାର ଶେଷ ହୋଇଥିବାରୁ ବାହାର ରାଜନେତା ମାନଙ୍କୁ ବିଜେପୁର ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଲୋହାନି କହିଛନ୍ତି । ମତଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଗତକାଲି ପଦ୍ମପୁର ଆର.ଏମ୍‍.ସି. ପରିସରରେ ଭୋଟ ସାମଗ୍ରୀ ପ୍ରଦାନ କରାଯାଇଛି। ପ୍ରାୟ ସମସ୍ତ କର୍ମଚାରୀ ଭୋଟଗ୍ରହଣ
କେନ୍ଦ୍ରମାନଙ୍କରେ ପହଂଚି ସାରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ଏଥର ମଧ୍ୟ ଭୋଟରମାନେ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ବୁଥ୍‍ ମଧ୍ୟକୁ ପ୍ରବେଶ କରିପାରିବାର ବ୍ୟବସ୍ଥା କରାଯାଇଛି । ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍‍ ୨୮୫ଟି ବୁଥ୍‍ ରହିଥିବାବେଳେ ସେଥିମଧ୍ୟରୁ ୧୨୯ଟି ବୁଥ୍‍କୁ ସମ୍ବେଦନଶୀଳ ବୁଥ୍‍ଭାବେ ଚିହ୍ନଟ କରାଯାଇଛି । ସେହିସବୁ ବୁଥ୍‍ଗୁଡିକରେ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସି.ସି.ଟି.ଭି. ବ୍ୟବସ୍ଥା କରାଯାଇଛି । ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।

Leave A Reply