ସାମୁଦ୍ରିକ ବାତ୍ୟା ଅମ୍ପନ୍ରେ ରାଜ୍ୟର ୪ଟି ଜିଲ୍ଲା କ୍ଷତି ଗ୍ରସ୍ତ
ଭୁବନେଶ୍ୱର – ସାମୁଦ୍ରିକ ବାତ୍ୟା ଅମ୍ପନ୍ରେ ରାଜ୍ୟର ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏହି ଚାରୋଟି ଜିଲ୍ଲାରେ ଗମନାଗମନ ଓ ବିଦ୍ୟୁତ୍ ସରବରାହ ସ୍ୱଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ରମ ଜାରି ରହିଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଗତକାଲି ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟା ଅମ୍ପନ୍ ଗତ ଅପରାହ୍ଣରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଏନ୍.ଡି.ଆର୍.ଏଫ୍., ଓ.ଡି.ଆର୍.ଏଫ୍., ଅଗ୍ନିସମ ବିଭାଗ ଏବଂ ଅନ୍ୟ
ଜରୁରୀକାଳୀନ ବିଭାଗ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ରାସ୍ତା ଉପରେ ପଡ଼ିଥିବା ଗଛ ସଫା
କରାଯାଇ ଗମନାଗମନ ବ୍ୟବସ୍ଥା ପୁନଃ ସ୍ଥାପନ କରାଯାଇଛି । ପ୍ରଭାବିତ ବାଲେଶ୍ୱର ଜିଲ୍ଲାରେ ୧୦ଟି, ଭଦ୍ରକରେ ୭ଟି, କେନ୍ଦ୍ରାପଡ଼ାରେ ୬ଟି,
ଯାଜପୁର, ମୟୂରଭଞ୍ଜ ଓ ଖୋର୍ଦ୍ଧାରେ ୨ଟି ଲେଖାଏଁ ଏବଂ କଟକ ଓ ପୁରୀରେ ଗୋଟିଏ ଲେଖାଏଁ ଏନ୍.ଡି.ଆର୍.ଏଫ୍. ଏବଂ ଓ.ଡି.ଆର୍.ଏଫ୍.
ଟିମ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଓଡ଼ିଶା ବନନିଗମର ୧୦୦ଟି ଟିମ୍ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି
ବାତ୍ୟାକୁ ଦୃଷ୍ଟିରେ ରଖି ୨ହଜାର ୯୨୧ଟି ବାତ୍ୟାଆଶ୍ରୟ ସ୍ଥଳୀରେ ୧ଲକ୍ଷ ୬୧ହଜାର ୯୯୧ଜଣଙ୍କୁ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ପରିସ୍ଥିତି ସ୍ୱଭାବିକ ହେବା ପରେ କିଛି ଲୋକ ନିଜ ଘରକୁ ଫେରିଥିବା ସୂଚନା ମିଳିଛି । ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ୧୯ଲକ୍ଷ ୩୮ହଜାର ୩୮୨ ଜଣ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ସେହିସବୁ ଅଞ୍ଚଳରେ ଆଜି ସୁଦ୍ଧା ବିଦ୍ୟୁତ୍ ସରବରାହ ସ୍ୱଭାବିକ ହେବ ବୋଲି ଶକ୍ତି ବିଭାଗ କହିଛି ।
ଅମ୍ପନ୍ ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରାୟ ୫ହଜାର ଗଛ ଭାଙ୍ଗି ଯାଇଥିବା ବେଳେ ଏକର ଏକର ପାଚିଲା ଧାନ ଓ ପାନ ବରଜ ନଷ୍ଟ ହୋଇଛି ।
ଓଡ୍ରାଫ୍ ଓ ଏନ୍.ଡି.ଆର୍.ଏଫ୍. ଦଳ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଇଥିବା ବେଳେ ବିଦ୍ୟୁତ୍ ଯୋଗାଣ ସ୍ୱଭାବିକ ପାଇଁ କାର୍ଯ୍ୟ ଜାରି
ରହିଥିବା ଜଣାପଡ଼ିଛି ।