ଓଡିଶା ସୀମାରେ ଘଷି ହୋଇ ଯାଉଛି ଅମ୍ପାନ- ଚାରିଟା ବେଳେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ

0 1,315

ଅତି ଭୀଷଣ ସାମୁଦ୍ରିକ ଝଡ଼ ଅମ୍ପନ୍‍ ବୁଧବାର ସକାଳ ସୁଦ୍ଧା ପାରାଦୀପଠାରୁ ଦକ୍ଷିଣ ଦିଗରେ ୧୫୦ କିଲୋମିଟର ଦୂରରେ ଗତି କରିଛି । ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୧ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଅଗ୍ରସର ହେଉଛି ବୋଲି ଭୁବଶ୍ୱେର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‍.ଆର୍‍. ବିଶ୍ୱାସ ସୂଚନା ଦେଇଛନ୍ତି । ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦିଘା ଏବଂ ବାଙ୍ଗଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ସୁନ୍ଦରବନ ନିକଟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳ ବିଶେଷରେ ୧୮୫ କିଲୋମିଟର ବେଗ ହୋଇପାରେ ।
ଅମ୍ପନ୍‍ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ତଥା ଆଖପାଖ ଜିଲ୍ଲାଗୁଡ଼ିକରେ ଗତକାଲିଠାରୁ ବର୍ଷା ଆଉ ପବନ ଲାଗି ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜରେ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ପବନର ବେଗ ୧୧୦ରୁ ୧୨୫ କିଲୋମିଟର ପାଖାପାଖି ହୋଇପାରେ । ଓଡ଼ିଶା ସୀମାରେ ଏହା ଘଷି ହୋଇଯିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବାର ଆଶଙ୍କା କରାଯାଉଛି । ବର୍ଷା ପବନ ସମୟରେ ବାହାରକୁ ନ ବାହାରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି । ପୁରୀ, ଖୋର୍ଦ୍ଧା ଏବଂ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ପବନର ବେଗ ୬୫ କିଲୋମିଟରରୁ ସ୍ଥଳ ବିଶେଷରେ ୭୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ୍‍ ପିନ୍ଧିବାକୁ କୁହାଯାଇଛି । ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୧୬ଟି ଏନ୍‍.ଡି.ଆର୍‍.ଏଫ୍‍. ଦଳ, ୧୫ଟି ଓଡ୍ରାଫ୍‍ ଦଳ ଏବଂ ୨୧୭ ଅଗ୍ନିଶମ ବାହିନୀ ମୁତୟନ ହୋଇସାରିଛନ୍ତି । ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ଭଦ୍ରକର ଚାନ୍ଦବାଲି, ଧାମରା ଏବଂ ବାସୁଦେବପୁର ବ୍ଲକର ସମୁଦ୍ରତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର ଏବଂ ଚାନ୍ଦବାଲି ବ୍ଲକର କେତେକ ସ୍ଥାନରେ ଗଛ ଉପୁଡ଼ି ଯାତାୟତ ବାଧାପ୍ରାପ୍ତ ହେବାରୁ ଏନ୍‍.ଡି.ଆର୍‍.ଏଫ୍‍. ଏବଂ ଦମକଳ ବାହିନୀ ଗଛକୁ କାଟି ରାସ୍ତା ପରିଷ୍କାର କରୁଥିବା ସୂଚନା ମିଳିଛି ।

ଗଞ୍ଜାମ ଜିଲ୍ଲାର ଗୋପାଳପୁର, ହରିପୁର, ଗୋଳାବନ୍ଧ, ସୁନପୁର, ଖଲିକୋଟ୍‍, ଗଞ୍ଜାମ, ପୁରୁଣାବନ୍ଧ, ଗାରାମ୍‍ପେଟା ଏବଂ ପୋଡମ୍‍ପେଟାଠାରେ ଅଧିକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ରାତିରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମଧ୍ୟମ ଧରଣର ବର୍ଷା ଜାରି ରହିଛି ।

ବାଲେଶ୍ୱର ଜିଲ୍ଲାର ଖଇରା, ବାହାନଗା, ସ୍ୱର, ଔପଦା, ରେମୁଣା, ଜଳେଶ୍ୱର ଏବଂ ଭୋଗରାଇ ଅଞ୍ଚଳରେ ଅମ୍ପନ୍‍ ପ୍ରଭାବରେ ବ୍ୟାପକ
କ୍ଷୟକ୍ଷତି ହୋଇଛି । ଗତକାଲିଠାରୁ ବିଦ୍ୟୁତ୍‍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । କ୍ଷୟକ୍ଷତିର ପରିମାଣ ଆକଳନ ହୋଇନାହିଁ ।
ପୁରୀ ପୌରାଞ୍ଚଳ ସମେତ କୋଣାର୍କ ଏବଂ ଅସ୍ତରଙ୍ଗରେ ଏନ୍‍.ଡି.ଆର୍‍.ଏଫ୍‍. ଟିମ୍‍କୁ ମୁତୟନ କରାଯାଇଛି । ପୁରୀଠାରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି ।
ବୁଧବାର ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪ ମିଲିମିଟର ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ବିଶ୍ୱାସ କହିଛନ୍ତି ।

Leave A Reply