ଦେଶରେ ହେବ ୧୦ଟି ସ୍ମାର୍ଟ ରେଳ ଷ୍ଟେସନ
ଭୁବନେଶ୍ୱର . – ଦେଶର ୧୦ଟି ଷ୍ଟେସନର ବିକାଶ ପାଇଁ ୨୦୧୭ ଜୁନ୍ ୩୦ ତାରିଖରେ ରେଲ୍ ଲ୍ୟାଣ୍ଡ ଡେଭଲପମେଣ୍ଟ ଅଥରିଟି ଏବଂ ନ୍ୟାସନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ଼ ମଧ୍ୟରେ ଏବ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଥିଲା । ଆବାସ ଏବଂ ସହରାଂଚଳ ବିକାଶ ମନ୍ତ୍ରଣାଳୟ ଅଧୀନରେ ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ତିରୁପତି, ଦିଲ୍ଲୀ ସରାଇ ରୋହିଲା, ନେଲ୍ଲୋର, ମାଡଗାଓଁ, ଚାରବାଗ (ଲକ୍ଷ୍ନୌ), ଗୋମତିନଗର, କୋଟା, ଥାନେ ନ୍ୟୁ, ଏର୍ଣ୍ଣାକୁଲମ ଜଙ୍କସନ ଏବଂ ପୁଡୁଚେରୀ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ହୋଇଥିଲା । ପୁଡୁଚେରୀ ଓ ତିରୁପତି ଷ୍ଟେସନର ବିକାଶ କାର୍ୟ୍ୟ ପାଇଁ ଇତି ମଧ୍ୟରେ ଟେଣ୍ଡର ଆହ୍ୱାନ ହୋଇ ସାରିଛି ।
ରେଳ ଷ୍ଟେସନ ଜମି ନିକଟରେ ଥିବା ଖାଲି ଜମି, ଖୋଲା ଆକାଶ, ରେଳବାଇ ଦ୍ୱାରା ବ୍ୟବହାର ହେଉ ନଥିବା ରେଳବିଭାଗ ଜମି ଓ ଖୋଲା ଆକାଶକୁ ବାଣିଜ୍ୟିକ କାରବାର ପାଇଁ ଭଡ଼ା ସୂତ୍ରରେ ବ୍ୟବସାୟୀ ଓ କମ୍ପାନିମାନଙ୍କୁ ଦେବା ପାଇଁ ଏହି ପୁନର୍ବିକାଶ ଯୋଜନା ଅନ୍ତର୍ଗତ ।
ଷ୍ଟେସନ ଗୁଡ଼ିକର ବାଣିଜ୍ୟିକ ବିକାଶ ଦ୍ୱାରା ମିଳିବାକୁ ଥିବା ରାଜସ୍ୱରେ ଷ୍ଟେସନର ପୁନର୍ବିକାଶ ଏବଂ ରିଅଲ ଇଷ୍ଟେଟ ବିକାଶର ଖର୍ଚ୍ଚ ଭରଣା ହୋଇପାରିବ । ଏହାଦ୍ୱାରା ଷ୍ଟେସନର ବିକାଶ ଯୋଜନା ପାଇଁ ବିଭାଗକୁ ନିଜ ରାଜସ୍ୱରୁ କିଛି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।