ଦେଶର ଜାତୀୟ ରାଜପଥର ସବୁ ଲେବଲ କ୍ରସିଂ ସ୍ଥାନରେ ଓଭରବ୍ରିଜ ଏବଂ ଅଣ୍ଡରପାସ୍‌ ନିର୍ମାଣ ହେବ

0 456

ନୂଆଦିଲ୍ଲୀ .- ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥରେ ଥିବା ସମସ୍ତ ଲେଭଲ କ୍ରସିଂ ସ୍ଥାନରେ ରୋଡ ଓଭରବ୍ରିଜ କିମ୍ବା ରୋଡ ଅଣ୍ଡରବ୍ରିଜ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ମନ୍ତ୍ରଣାଳୟର ଯୋଜନା ଅନୁସାରେ ସେତୁ ଭାରତମ ଯୋଜନା ଅନ୍ତର୍ଗତ ଦୁର୍ବଳ ତଥା ସରୁ ପୋଲକୁ ବଦଳାଯିବ/ଚଉଡ଼ା କରାଯିବ/ମଜବୁତ କରାଯିବ ଯାହା ଯାନବାହାନ ଚଳାଚଳକୁ ସୁଗମ କରିବ ତଥା ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣା ୫୦ ପ୍ରତିଶତ କମିବ ।

କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜପଥ, ଜାହାଜ ଚଳାଚଳ ତଥା ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମଣ୍ଡଭୀୟ କହିଛନ୍ତି ଯେ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟ ୧୦ ନଭେମ୍ବର, ୨୦୧୪ରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରି ଜାତୀୟ ରାଜପଥରେ ପଡୁଥିବା ସମସ୍ତ ଲେଭଲକ୍ରସିଂ ସ୍ଥାନରେ ଆରଓବି/ଆରୟୁବି ୫୦,୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଶ୍ରୀ ମଣ୍ଡଭୀୟ କହିଛନ୍ତି ସେତୁ ଭାରତମ ଯୋଜନା ଅଧିନରେ ସମୁଦାୟ ୧୭୪ଟି ଆରଓବି/ଆରୟୁବି ଚିହ୍ନଟ ହୋଇଥିବା ବେଳେ ଏଥିରୁ ୯୩ଟି ଆରଓବି ପାଇଁ ୭୧୨୧ କୋଟି ଟଙ୍କା ମଞ୍ଜୁର ହୋଇଛି । ୫୭ଟି ଆରଓବି କାମ ପାଇଁ ଠିକା ଦିଆସରିଛି । ସେ କହିଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ ମଧ୍ୟ ଦେଶରେ ଜାତୀୟ ରାଜପଥ ବିକାଶ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରୁଛନ୍ତି । ଆରଓବି/ଆରୟୁବି ସାଧାରଣତଃ ଜାତୀୟ ରାଜପଥ ବିକାଶ ପରିଯୋଜନାର ପ୍ରମୁଖ ଅଙ୍ଗ । ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ୫୧୫ଟି ଆରଓବି/ଆରୟୁବିର ନିର୍ମାଣ କାମ ଚାଲିଛି ।

Leave A Reply