ନୂଆଦିଲ୍ଲୀ – କରୋନା ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଦେଶର ବିଭିନ୍ନ ଅଞ୍ଚଳକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ଏହି ୩ଟି ଜୋନ୍ରେ ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମାହଲ୍, ସପିଂମଲ୍, ଅଡିଟୋରିୟମ, ଜିମ୍ନାସିୟମପାର୍କ, ସୁଇମିଂପୁଲ୍ ଆଦି ବନ୍ଦ ରହିବା ସହ ରାଜନୈତିକ ଓ ଧାର୍ମିକ ସଭା, ସାମାଜିକ କାର୍ଯ୍ୟକ୍ରମ, ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ନିଷିଦ୍ଧ କରାଯାଇଛି । ସେହିଭଳି ଆନ୍ତଃରାଜ୍ୟ ଗାଡ଼ି ଚଳାଚଳ ଉପରେ ପୂର୍ବଭଳି କଟକଣା ବଳବତ୍ତର ଥିବାବେଳେ ମାଲଗାଡ଼ି ଯିବାଆସିବା କରିପାରିବ ବୋଲି ଏହି ନିର୍ଦ୍ଦେଶାନାମାରେ କୁହାଯାଇଛି । ତେବେ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସମସ୍ତ ଜୋନ୍ରେ କଡାକଡି ଭାବେ ଲକ୍ଡାଉନ୍ ପାଳନ କରାଯିବ ।
କଣ୍ଟେନମେଣ୍ଟ ଜୋନ୍ରୁ କୌଣସି ବ୍ୟକ୍ତି ବାହାରକୁ ଆସିପାରିବେ ନାହିଁ କିମ୍ବା କେହି ଏହାମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ପ୍ରଶାସନ ପକ୍ଷରୁ
ସମ୍ପୃକ୍ତ ଅଞ୍ଚଳରେ ଥିବା ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ତେବେ ରେଡ୍ ଜୋନ୍ରେ ଦୁଇଚକିଆ ଯାନରେ ଆରୋହୀଙ୍କ ପଛରେ ବସି କେହି ଯାଇପାରିବେ ନାହିଁ । ଚାରିଚକିଆ ଯାନରେ ଡ୍ରାଇଭର ବ୍ୟତୀତ ସର୍ବାଧିକ ୨ ଜଣ ବ୍ୟକ୍ତି ଯାଇପାରିବେ । ପରିବହନ ବିଭାଗଠାରୁ ଅନୁମତି ପାଇଥିବା ଓଲା ଓ ଉବେର ଗାଡି ଚାଲିପାରିବ ଏବଂ ସ୍ୱାସ୍ଥ୍ୟସେବା ପାଇଁ ସମସ୍ତ ଓପିଡି ଓ ମେଡ଼ିକାଲ କ୍ଲିନିକ୍ ଖୋଲାରହିବ । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଓ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଏକୁଟିଆ ଦୋକାନ ଓ ରେସିଡେନ୍ସିଆଲ୍ କମ୍ପେ୍ଲକ୍ସଗୁଡ଼ିକ ମଧ୍ୟ ଖୋଲା ରହିବ । ଅରେଞ୍ଜ ଜୋନ୍ରେ ରେଡ୍ ଜୋନ୍ରେ ମିଳୁଥିବା ସମସ୍ତ ସୁବିଧା ଉପଲବ୍ଧ ହେବା ସହ ନିର୍ଦ୍ଧିଷ୍ଟ କେତେକ ଜରୁରୀ କାର୍ଯ୍ୟ ପାଇଁ ବ୍ୟକ୍ତିବିଶେଷ ଅନୁମତି ନେଇ ଆନ୍ତଃଜିଲ୍ଲା ଗସ୍ତ କରିପାରିବେ । ଅନ୍ୟପକ୍ଷରେ ଗ୍ରୀନ୍ ଜୋନ୍ରେ ଏହିସବୁ ସୁବିଧା ସହ ସେଲୁନ୍, ସ୍ପା, ମଦ ଓ ପାନଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି ।