ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି
ବାଲେଶ୍ୱର ଜିଲ୍ଲାରେ ୟାସ୍ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଆକଳନ କରାଯାଉଛି । ରେଲ୍ୱେ ଷ୍ଟେସନ୍ କଲୋନୀ ନିକଟରେ ରହୁଥିବା ଜଣେ ଯୁବକ ଉପରେ ଗଛ ପଡ଼ିବାରୁ ତା’ର ମୃତ୍ୟୁ ଘଟିଥିବା ଆମ ବାଲେଶ୍ୱର ସମ୍ବାଦଦାତା ଜଣାଇଛନ୍ତି । ଏନ୍.ଡି.ଆର୍.ଏଫ୍. ଦଳ ସେଠାରେ ପହଞ୍ଚି ସେହି ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ ଉଦ୍ଧାର କରିଥିଲେ ।
ସେହିପରି ବାତ୍ୟାର ପ୍ରଭାବରେ ଖଇରା ବ୍ଲକ୍ର ଡଗରପଡ଼ା ଓ ଶାଳପଡ଼ା ଗ୍ରାମ ଅଞ୍ଚଳରେ ପ୍ରବଳ ବର୍ଷା ଏବେ ଲାଗି ରହିଛି । ବାଲେଶ୍ୱର-ଚାନ୍ଦିପୁର ରାସ୍ତାରେ ଶତାଧିକ ଗଛ ଉପୁଡ଼ି ପଡ଼ିବା ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ବାଲେଶ୍ୱର ସହରରେ ଆଇ.ଜି. ଅଫିସ୍ ଓ ଷ୍ଟେସନ୍ ସମ୍ମୁଖରେ ବହୁ ପୁରାତନ ଗଛ ଉପୁଡ଼ି ପଡ଼ିଛି । ଏନ୍.ଡି.ଆର୍.ଏଫ୍. ଓ ଓଡ୍ରାଫ୍ ଦଳ ରାସ୍ତାରେ ପଡ଼ିଥିବା ଗଛଗୁଡ଼ିକୁ କାଟିବାରେ ଲାଗିଛନ୍ତି । ବାହାନଗା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ ଘର ଭାଙ୍ଗିଯିବା ସହିତ ଚାଳଛପର ଓ ଟାଇଲ୍ ଉଡ଼ିଯାଇଛି । ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ଓ ତାର ଛିଡ଼ି ପଡ଼ିବା ଯୋଗୁଁ ଗତକାଲିଠାରୁ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବନ୍ଦ୍
ରହିଛି । ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ଲୋକମାନଙ୍କୁ କୋଭିଡ୍ କଟକଣା ମଧ୍ୟରେ ରଖାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସେହି ସ୍ଥାନମାନଙ୍କରେ ଜେନେରେଟର୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆକଳନକରାଯାଉଛି ।
ସେହିଭଳି ଭଦ୍ରକ ଜିଲ୍ଲାରେ ୟାସ୍ର ପ୍ରଭାବରେ ପବନ ଓ ବର୍ଷା ଲାଗିରହିଥିବାରୁ ସମୁଦ୍ର ତଟବର୍ତ୍ତୀ ଧାମରା, ଚାନ୍ଦବାଲି ଓ ବାସୁଦେବପୁର
ବ୍ଲକ୍ର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ଅବରୋଧ ହୋଇଛି । ଏନ୍.ଡି.ଆର୍.ଏଫ୍., ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଟିମ୍ ପକ୍ଷରୁ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଆଶ୍ରୟ ନେଇଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା ୟସ୍ର ପ୍ରଭାବରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଏକ ଘୂର୍ଣ୍ଣିଝଡ଼ ଯୋଗୁଁ ରାଜନଗର ବ୍ଲକ୍ର ସମୁଦ୍ର ତଟବର୍ତ୍ତୀ କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଅଦ୍ୟାବଧି ୧ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍ କଟକଣା ମଧ୍ୟରେ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ପୂର୍ଣ୍ଣମୀ ଥିବାରୁ ବାତ୍ୟା ପ୍ରଭାବରେ ସମୁଦ୍ର ପାଣି କେତେକ ସ୍ଥାନକୁ ମାଡ଼ିଆସିଛି । ବହୁ ଚାଷଜମିରେ ଲୁଣିପାଣି ମାଡ଼ିଯାଇଛି । ତେବେ ଜିଲ୍ଲାରେ ୟାସ୍ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି । ସେହିଭଳି ଜଗତ୍ସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ବିଶେଷକରି ବାଲିକୁଦା, ଏରସମା, ତିର୍ତ୍ତୋଲ, କୁଜଙ୍ଗ ଓ ପାରାଦ୍ୱୀପ ଅଞ୍ଚଳରେ ୟାସ୍ର ପ୍ରଭାବରେ ପରିପରିବା ଚାଷ ନଷ୍ଟ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି । ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ିଥବବା ବେଳେ ବନ୍ଦରରେ ନିୟୋଜିତ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଯବାନମାନେ ସ୍ତା ପରିଷ୍କାର କାର୍ଯ୍ୟରେ ଲାଗିଛନ୍ତି । ପାରାଦ୍ୱୀପରେ ବର୍ଷା ଓ ପବନର ବେଗ ହ୍ରାସ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି । ବାତ୍ୟା ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ଝଡ଼ିବର୍ଷା ଲାଗିରହିଛି । ଏହାସହ ହରିଚନ୍ଦନପୁର ବ୍ଲକ୍ରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ତେବେ ଓଡ୍ରାଫ୍ ଟିମ୍ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି ।