ଦେଶରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣ ଆଜି ପଞ୍ଚମ ଦିନରେ ପହଞ୍ଚିଥିବାବେଳେ ଆମ ରାଜ୍ୟରେ ମଧ୍ୟ ଏହି ଟିକାକରଣ କାର୍ଯ୍ୟ ସୁରୁଖୁରୁରେ ଜାରି ରହିଛି । ରାଜ୍ୟରେ ଆଜି ସମୁଦାୟ ୪୩୬ଟି ସେସନ୍ରେ ୩୭ହଜାର ଛଅସ୍ତରୀ ଜଣଙ୍କୁ ଟିକାପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଦା ରାଜ୍ୟରେ ମୋଟ ଅଡଷଠି ହଜାର ୭୪୩ଜଣଙ୍କୁ ଟିକାକରଣ କରାଯାଇସାରିଛି । ଟିକାକରଣ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କ ନିକଟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହି ଟିକା ନିରାପଦ ଏବଂ ଏଥିରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ଆଜି ଟିକା ଗ୍ରହଣ କରିଥିବା ଖୋର୍ଦ୍ଧାର ଜଣେ ଡାକ୍ତର ଶ୍ରୀମତୀ ପୁଷ୍କାରାଣୀ ସରାଫ କହିଛନ୍ତି ।
ଯାଜପୁର ଜିଲ୍ଲାରେ ପଞ୍ଚମ ଦିନର ଟିକାକରଣ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୮ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଦିନ ୪ଟା ସୁଦ୍ଧା ୭୩୭ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଥିବାବେଳେ କାହାରି ପାଖରେ କୌଣସି ପାଶ୍ୱର୍ ପ୍ରତିକ୍ରିୟାର ଦେଖାଯାଇ ନ ଥିବା ସୂଚନା ମିଳିଛି ।
ସେହିପରି ସୁନ୍ଦରଗଡ ଜିଲ୍ଲାରେ ୮ଟି କେନ୍ଦ୍ରରେ ଟିକାପ୍ରଦାନ କରାଯାଉଛି । ୧୬ହଜାର ହିତାଧିକାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ଏପର୍ଯ୍ୟନ୍ତ ୩ହଜାର ୯୯୮ଜଣ ହିତାଧିକାରୀ ଟିକା ନେଇଥିବା ଜଣାପଡିଛି ।
ନବରଙ୍ଗପୁର ଜିଲ୍ଲାରେ କୋଭିଡ୍ ଟିକକାକରଣର ଚତୁର୍ଥ ଦିନରେ ଜିଲ୍ଲାର ସମସ୍ତ ୧୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା କୋଭିଡ ଯୋଦ୍ଧାମାନେ ଟିକା ଗ୍ରହଣ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟ ଚାରୋଟି ଟିକାଦାନ କେନ୍ଦ୍ରରେ ମୋଟ ୧ହଜାର ୧୮୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନେଇ ସାରିଛନ୍ତି ।
ସେହିପରି ଟିକାକରଣର ପଞ୍ଚମ ଦିନରେ ଆଜି ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମେତ ୧୧ଟି ସ୍ଥାନରେ ଟିକା ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାର ୮ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୧୧ଶହ ଟିକା ଦିଆଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଗତକାଲି ସୁଦ୍ଧା ୧ହଜାର ୯୪୧ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାତ୍ର କହିଛନ୍ତି ।
ମାଲକାନଗିରି ଜିଲାର ୫ଟି କେନ୍ଦ୍ରରେ କୋଭିଡ ଯୋଦ୍ଧାମାନଙ୍କୁ ଟିକାପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ହଜାର ୬ଶହ କୋଭିଡ ଟିକା ଆସିଥିବାବେଳେ ପ୍ରାୟ ୩ହଜାର ୪ଶହ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।