ବାତ୍ୟା ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ରୋକିବାପାଇଁ ରାଜ୍ୟ ସରକାର ଶକ୍ତିଶାଳୀ ବନ୍ଧ ନିର୍ମାଣ କରିବେ । ୧୦ଟି ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳକୁ ମଜବୁତ କରିବାପାଇଁ ୩୮୦ କିଲୋମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବନ୍ଧ ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯିବ । ଏହି ପଥର ବନ୍ଧଗୁଡ଼ିକୁ ତାରଜାଲିରେ ଆବଦ୍ଧ କରାଯିବ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ୯୪୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା କରାଯାଇଛି । ଅଧିକ ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକରେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ ହେବ । ଏହି ପ୍ରକଳ୍ପରେ ୬ରୁ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡି.ପି.ଆର୍. ପ୍ରସ୍ତୁତ ହୋଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।
ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବୃଦ୍ଧି ପାଉଥିବା ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ସମୁଦ୍ର ଜୁଆର ଯୋଗୁଁ ବସ୍ତା ଓ ବାଲିଆପାଳ ଅଞ୍ଚଳରେ ସମୁଦ୍ର ପାଣି ପ୍ରବେଶ କରିଥିଲା । ପ୍ରଶାସନ ପକ୍ଷରୁ ବାତ୍ୟା କ୍ଷତୟକ୍ଷତି ଆକଳନ କରାଯାଉଛି । ରିପୋର୍ଟ ଆସିଲେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା – କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ମୟୂରଭଞ୍ଜ । ସେହିପରି ଉପକୂଳ ଓଡ଼ିଶା ସମେତ ମାଲକାନଗିରି, ବୌଦ, କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।