ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବି.ଜେ.ପି. ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବି.ଜେ.ପି. ୧୬ ଓ କଂଗ୍ରେସ ୧୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କର୍ଣ୍ଣାଟକରୁ ପ୍ରାର୍ଥୀ କରାଯାଇଥିବାବେଳେ ମହାରାଷ୍ଟ୍ରରୁ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ମଧ୍ୟପ୍ରଦେଶରୁ କବିତା ପଟିଦାର୍ ଓ ରାଜସ୍ଥାନରୁ ଘନଶ୍ୟାମ ତିୱାରିଙ୍କୁ ପ୍ରାର୍ଥୀ କରାଯାଇଛି । ଉତ୍ତର ପ୍ରଦେଶରୁ ଲକ୍ଷ୍ମୀକାନ୍ତ ବାଜପେୟୀ, ରାଧାମୋହନ ଅଗ୍ରୱାଲ୍, ସୁରେନ୍ଦ୍ର ନାଗର, ବାବୁରାମ ନିଶାଦ, ଦର୍ଶନା ସିଂହ ଓ ସଙ୍ଗୀତା ଯାଦବ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସର ଅଜୟ ମାକନ ହରିୟାଣାରୁ, ରଣଜିତ୍ ସିଂହ ସୂରଜେୱାଲା ରାଜସ୍ଥାନ ଓ ପି. ଚିଦାମ୍ବରମ୍ ତାମିଲ୍ନାଡ଼ୁରୁ ପ୍ରାର୍ଥୀ ହୋଇଛନ୍ତି । ତାମିଲ୍ନାଡ଼ୁରେ ୬ଟି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ବି.ଜେ.ପି. ସେଠାରେ କୌଣସି ପ୍ରାର୍ଥୀ ଏପର୍ଯ୍ୟନ୍ତ ଦେଇ ନାହିଁ ।
ଅନ୍ୟପକ୍ଷରେ ବିଜୁ ଜନତା ଦଳ ପକ୍ଷରୁ ୫ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦଳର ମୁଖପାତ୍ର ସୁଲତା ଦେଓ, ଗଣମାଧ୍ୟମ ବ୍ୟାପାର ସଚିବ ମାନସ ମଙ୍ଗରାଜ ଓ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସମ୍ପାଦକ ନିରଞ୍ଜନ ବିଶି ଏବଂ ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିବା ଡକ୍ଟର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀଭାବେ ମନୋନୀତ କରାଯାଇଛି । ଡକ୍ଟର ସସ୍ମିତ ପାତ୍ରଙ୍କୁ କ୍ରମାଗତ ଦ୍ୱିତୀୟ ଥରପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ମୋଟ ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ଆସନ୍ତା ଜୁନ୍ ୧୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ରାଜ୍ୟସଭା ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଛି ।
Comments are closed, but trackbacks and pingbacks are open.