ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ କୋଭିଡ୍‍ ପ୍ରତିଷେଧକ ଟିକା ଦେବାରେ ମନ୍ଥରତାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ

108

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ କୋଭିଡ୍‍ ପ୍ରତିଷେଧକ ଟିକା ଦେବାରେ ମନ୍ଥରତାକୁ ନେଇ କେନ୍ଦ୍ର ସରକାର ଉଦ୍‍ବେଗ ପ୍ରକାଶ କରିଛନ୍ତି । କୋବିଡ୍‍ ପ୍ରତିଷେଧକ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାର ସେମାନଙ୍କୁ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସ୍ୱାସ୍ଥ୍ୟ ସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ପରିଚାଳନା ନିର୍ଦ୍ଦେଶକମାନଙ୍କ ସହ କୋବିଡ୍‍ ପ୍ରତିଷେଧକ ଟିକାକରଣ ସ୍ଥିତିର ସମୀକ୍ଷା କରିଛନ୍ତି । ସେ
କହିଛନ୍ତି, କୋବିଡ୍‍ ପ୍ରତିଷେଧକ ଟିକାକରଣକୁ ତ୍ୱରାନ୍ୱିତ କରିବା ଅତ୍ୟନ୍ତ ଜରୁରୀ । ଦୁଇ ମାସ ପାଇଁ ‘ହର୍‍ ଘର୍‍ ଦସ୍ତଖ’ ଅଭିଯାନରେ କୋବିଡ୍‍ ଟିକା ଦେବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି । ଯୋଗ୍ୟ ବ୍ୟକ୍ତିମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ବୁଷ୍ଟର ଡୋଜ୍‍ ଟିକା ଦେବା ଲକ୍ଷ୍ୟରେ ଜୁନ୍‍ ଓ ଜୁଲାଇ ମାସରେ ‘ହର୍‍ ଘର୍‍ ଦସ୍ତଖ’ ଅଭିଯାନ ଆରମ୍ଭ କରିବାକୁ ଶ୍ରୀ ଭୂଷଣ କହିଛନ୍ତି । ଏଥିରେ ଘର ଘର ବୁଲି ଟିକା ଦେବା ଓ ବୃଦ୍ଧାଶ୍ରମ, ସ୍କୁଲ୍‍, କଲେଜ୍‍, ଜେଲ୍‍ ଓ ଇଟାଭାଟି ଗୁଡ଼ିକ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ କହିଛନ୍ତି । ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକମାନଙ୍କୁ ବୁଷ୍ଟର ଡୋଜ୍‍ ଦିଆନଗଲେ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବାରେ ମନ୍ଥରତା ବିଷୟ ମଧ୍ୟ ସେ ଉତ୍ଥାପନ କରିଛନ୍ତି । ଯୋଗ୍ୟ ବ୍ୟକ୍ତିମାନଙ୍କୁ ଠିକ୍‍ ସମୟରେ ଟିକା ଦିଆଯିବା ବିଷୟର ଫଳପ୍ରଦ ତଦାରଖ କରିବାକୁ ସେ କହିଛନ୍ତି । ଏହା ବ୍ୟତୀତ ୧୮ରୁ ୫୯ ବର୍ଷ ବୟସର ଲୋକମାନଙ୍କୁ ବେସରକାରୀ ହସ୍ପିଟାଲ୍‍ ଗୁଡ଼ିକରେ ନିୟମିତ ଭାବେ ଟିକା ଦିଆଯିବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶ ବ୍ୟାପି ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ ଯୋଗାଯୋଗ ସ୍ଥାପନ ପ୍ରତି ସେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଗୁଡ଼ିକ ସେମାନଙ୍କ ପାଖରେ ଥିବା ଅକାମୀ ଟିକା ଗୁଡ଼ିକ ବିଷୟରେ ଜଣାଇଛନ୍ତି । କୋବିଡ୍‍ ପ୍ରତିଷେଧକ ଏକ ମୂଲ୍ୟବାନ ଜାତୀୟ ସମ୍ବଳ ବୋଲି ଦର୍ଶାଇ ଏହା ଯେପରି ନଷ୍ଟ ନ ହୁଏ ସେଥିପ୍ରତି ଯତ୍ନବାନ ହେବାକୁ ସେମାନଙ୍କୁ କୁହାଯାଇଛି । ବ୍ୟବହାର ହୋଇନଥିବା ଟିକାଗୁଡ଼ିକୁ ପ୍ରଥମେ ବ୍ୟବହାର କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ପରାମର୍ଶ ଦିଆଯାଇଛି । କିଛି ରାଜ୍ୟରେ ବିଦେଶ ଗସ୍ତ କରୁଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍‍ ନେବା ପୂର୍ବରୁ ସେମାନଙ୍କୁ ବିଦେଶଯାତ୍ରାର ପ୍ରମାଣ ଦେବା ପାଇଁ କୁହାଯାଉଥିବାରୁ ଏ ବିଷୟ ସେ ଉଠାଇଛନ୍ତି । ସେ କହିଛନ୍ତି, ବିଦେଶ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଷ୍ଟର ଡୋଜ୍‍ ନେବା ସମୟରେ କଦାପି ବିଦେଶ ଯାତ୍ରାର ପ୍ରମାଣ ମଗାଯିବା ଉଚିତ୍‍ ନୁହେଁ ।

Comments are closed, but trackbacks and pingbacks are open.