ଭୁବନେଶ୍ୱର—- ଉତ୍ତର ପଶ୍ଚିମ ବଙ୍ଗୋପାସଗାରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବା ପରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହୋଇଯାଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ରାୟଗଡ଼ା, ଗଜପତି, ମାଲକାନଗିରି, କନ୍ଧମାଳ, କୋରାପୁଟ୍, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ବା ବର୍ଷା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ମାଗଣା ରନ୍ଧାଖାଦ୍ୟ ଓ ପାନୀୟ ଜଳ ଯୋଗାଣ ପରିମଳ ବ୍ୟବସ୍ଥାର ତଦାରଖ ଏବଂ ବନ୍ଧବାଡ଼ ଭାଙ୍ଗୁଥିବା ଅଞ୍ଚଳରେ ତୁରନ୍ତ ମରାମତି କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ପୋଟେରୁ, କୋରୁକୋଣ୍ଡା, ପଙ୍ଗମ ଭଳି ଅଧିକାଂଶ ପୋଲ ଉପରେ ପାଣି ଚାଲୁଛି। ଫଳରେ ଅଧିକାଂଶ ଅଞ୍ଚଳରେ ଜାତାୟତ ବାଧାପ୍ରାପ୍ତ ହୋଇଛି। ସେହିଭଳି ବଂଶଧାରା ନଦୀର ଜଳପତ୍ତନ ଗୁଣପୁରଠାରେ ବିପଦସଂକେତ ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି। କୋରାପୁଟ୍ ଜିଲ୍ଲାର ବୋରିଗୁମା ବ୍ଲକ୍ ନିକଟରେ ଥିବା ନଳାରେ ବନ୍ୟା ଜଳ ମାଡ଼ି ଯିବାରୁ ଜାତାୟତ ପ୍ରଭାବିତ ହୋଇଛି। ସେହିପରି କନ୍ଧମାଳରେ ଟିକାବାଲି ଏବଂ ତୁମୁଡ଼ିବନ୍ଧ ରାସ୍ତା ଓ ଦୁଇଟି ପୋଲ ଭାଙ୍ଗି ଯାଇଛି। ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ବୁଡ଼ି ଅଞ୍ଚଳକୁ ବ୍ୟବହାର ନ କରିବା ପାଇଁ ନିଷେଧାଦେଶ ଜାରି କରାଯାଇଛି।
ରାୟଗଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରାଯାଇ ନିରାପଦ ସ୍ଥାନକୁ
ସ୍ଥାନାନ୍ତର କରାଯାଉଛି। ବିଭିନ୍ନ ସ୍ଥାନରେ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ମୁତୟନ ରହି ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେଉଛନ୍ତି। ସେହିଭଳି କଟକ-ଭୁବନେଶ୍ୱର ଓ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କଟକ, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାର ପାଣିପାଗ ବିଭାଗ ପକ୍ଷରୁ ରେଡ୍ଆଲର୍ଟ୍ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ
ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.