ଆଜି ଅପରାହ୍ଣରେ ଅନ୍ତିମ ସଂସ୍କାର ହେବ ସୁଷମାଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପାର୍ଥିବ ଶରୀର ବୁଧବାର ଅପରାହ୍ଣରେ ଅନ୍ତିମ ସଂସ୍କାର ହେବ । ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୁଷମାଙ୍କ ମରଶରୀର ତାଙ୍କର ଜନ୍ତର ମନ୍ତର ରୋଡ଼ସ୍ଥିତ ଧାୱନ ଦ୍ୱୀପ ବିଲ୍ଡିଂରେ ବୁଧବାର ପୂର୍ବାହ୍ଣ ୧୧ଟା ଯାଏଁ ରଖାଯିବ । ଏହା ପରେ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟ କାର୍ଯ୍ୟାଳୟ ନିଆଯିବ । ଏଠାରେ ସାଧାରଣ ଲୋକ ମଧ୍ୟ ସୁଷମାଙ୍କ ଅନ୍ତିମ ଦର୍ଶନ କରିପାରିବେ । ଅପରାହ୍ଣ ୩ଟା ପରେ ପାର୍ଥିବ ଶରୀରକୁ ଲୋଧୀ ରୋଡସ୍ଥିତ ବିଦ୍ୟୁତ ଶବଦାହ ଗୃହ ନିଆଯିବ । ସେଠାରେ ତାଙ୍କର ଅନ୍ତିମ ସଂସ୍କାର ହେବ । ନଡ୍ଡା କହିଛନ୍ତି, ସଂପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର କରାଯିବ ।

ସୂଚନାଯୋଗ୍ୟ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସୁଷମାଙ୍କର ମଙ୍ଗଳବାର ରାତି ନୂଆଦିଲ୍ଲୀସ୍ଥିତ ଏମ୍ସରେ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଏମ୍ସର ଡାକ୍ତର ସ୍ପଷ୍ଟ କରିଛନ୍ତି । ସୁଷମାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଦେଶ-ବିଦେଶରେ ଜଣାଶୁଣା ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।