ନୂଆଦିଲ୍ଲୀ- ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏଣିକି ଅଲଗା ଅଲଗା ପରୀକ୍ଷା ହେବ ନାହିଁ । ଏ ନେଇ ଏକକ ଯୋଗ୍ୟତା ପରୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ନ୍ୟାସନାଲ୍ ରିକ୍ରୁଟମେଣ୍ଟ ଏଜେନ୍ସୀ (ରାଷ୍ଟ୍ରୀୟ ନିଯୁକ୍ତି ସଂସ୍ଥା) ଗଠନ କରିବାର ପ୍ରସ୍ତାବକୁ ସରକାର ସ୍ୱୀକୃତି ଦେଇଛନ୍ତି ।
ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଣଗେଜେଟେଡ୍ ପଦବୀ ଏବଂ ବ୍ୟାଙ୍କରେ ଭର୍ତ୍ତି ପାଇଁ ଏକକ ଯୋଗ୍ୟତା ପରୀକ୍ଷା ଆୟୋଜନ କରିବ । କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଗତକାଲି ଅନୁମୋଦନ ଦେଇଛି । ଏହି ପଦକ୍ଷେପ ଯୋଗୁଁ କୋଟି କୋଟି ଛାତ୍ରଛାତ୍ରୀ ଉପକୃତ ହେବା ସହିତ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆସିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।