ନିଟ୍ ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୁଞ୍ଚାଇ ଦେଇଛନ୍ତି । ପୂର୍ବରୁ ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଅନୁଷ୍ଠିତ ହେବାର ଥିଲା । ବର୍ତ୍ତମାନ ଧାର୍ଯ୍ୟ ତାରିଖର ୬ରୁ ୮ ସପ୍ତାହ ପରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୬ଜଣ ଏମ୍ବିବିଏସ୍ ଛାତ୍ରଛାତ୍ରୀ ନିଟ୍ ପିଜି ପରୀକ୍ଷାକୁ ଘୁଞ୍ଚାଇବାକୁ ନିବେଦନ କରିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଛି । ୬ରୁ ୮ ସପ୍ତାହ ପରେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ନିଟ୍ ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା । ଅନେକ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ ବର୍ତ୍ତମାନ କରୋନା ମହାମାରୀ ପାଇଁ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଉ । ସେମାନେ ତାଙ୍କ ଆବେଦନରେ ଲେଖିଥିଲେ ଯେ ଏପର୍ଯ୍ୟନ୍ତ ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ଣ୍ଣସିପ୍ ସମାପ୍ତ କରିନାହାନ୍ତି । ଏଭଳି ସ୍ଥିତିରେ ପରୀକ୍ଷା ହେଲେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ୍ କରିପାରିବେ ନାହିଁ । ଏହି କାରଣ ଦର୍ଶାଇ ଛାତ୍ରଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ନିବେଦନ କରିଥିଲେ ।