ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ସେତେବେଳେ ଭାରତ ଏହାର ସମାଧାନ ସୂତ୍ର ବାହାର କରିଛି

147

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱ ଯେତେବେଳେ କୌଣସି ସମସ୍ୟାର ସମ୍ମୁଖୀନ ହୋଇଛି ସେତେବେଳେ ଭାରତ ଏହାର ସମାଧାନ ସୂତ୍ର ବାହାର କରିଛି । ଏହାକୁ ସେ ନୂତନ ଭାରତର ଶକ୍ତି ବୋଲି କହିଛନ୍ତି । ଗତକାଲି ଜର୍ମାନୀର ବର୍ଲିନ୍‍ଠାରେ ଭାରତୀୟ ବଂଶୋଦ୍ଭବଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ନ୍ୟୁନତମ ସରକାର ଓ ଅଧିକତମ ପ୍ରଶାସନର ସମୟ ଆସିଛି । ଦେଶର ପ୍ରଗତି ତାର ନାଗରିକମାନଙ୍କର ମିଳିତ ପ୍ରୟାସ ଉପରେ ନିର୍ଭର କରିଥାଏ । ସମସ୍ତେ ମିଳିତ ଭାବେ ବିକାଶମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେଲେ ସରକାରଙ୍କ କାର୍ଯ୍ୟଭାର ଲାଘବ ହୋଇପାରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାଙ୍କର ତିନି ୟୁରୋପୀୟ ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜର୍ମାନୀରେ ପହଞ୍ଚିଥିଲେ । ସେଠାରେ ପ୍ରବାସୀ ଭାରତୀୟମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଭାରତୀୟ ବଂଶୋଦ୍ଭବମାନଙ୍କୁ ସେ କହିଛନ୍ତି, ୮ ବର୍ଷ ପୂର୍ବରୁ ଦେଶରେ ୨୦୦ରୁ ୪୦୦ ଷ୍ଟାର୍ଟଅପ୍‍ ଥିଲାବେଳେ ଏବେ ଏହା ୬୮ହଜାରକୁ ଅତିକ୍ରମ କରିଛି । ଭାରତରେ କେବଳ ଯେ ୟୁନିକର୍ଣ୍ଣ୍‍ ଅଛି ତାହା ନୁହେଁ ଏବେ ୟୁନିକର୍ଣ୍ଣ୍‍ ଗୁଡ଼ିକ ଡେକାକର୍ଣ୍ଣ ସ୍ତରକୁ ଉନ୍ନିତ ହେବା ସମୟ ଆସିଛି ।


ଜି.ଏସ୍‍.ଟି. ସଂଗ୍ରହ କ୍ଷେତ୍ରରେ ଭାରତ ୧ଦଶମିକ୍‍ ୬୮ ଲକ୍ଷ କୋଟି ଟଙ୍କା ହାସଲ କରି ରେକର୍ଡ ସୃଷ୍ଟି କରିଛି । ସ୍ଥାନୀୟ ନିର୍ମାତା ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦେଶରେ ଭୋକାଲ୍‍ ଫର୍‍ ଲୋକାଲ୍‍ ଅଭିଯାନ ସଫଳତା ସହ କାର୍ଯ୍ୟ କରୁଛି । ସ୍ୱାଧୀନତା ପାଇଁ ସଂଗ୍ରାମ ବେଳେ ସ୍ୱଦେଶୀ ଆନ୍ଦୋଳନର କଥା ଏହା ମନେ ପକାଇ ଦେଉଛି ।


ଗତକାଲି ପ୍ରଧାନମନ୍ତ୍ରୀ ଜର୍ମାନ ଚାନ୍‍ସେଲର ଓଲାଫ୍‍ ସୋଲ୍‍ଜଙ୍କ ସହ ଭାରତ ଜର୍ମାନୀ ଆନ୍ତଃ ସରକାରୀ ଆଲୋଚନାରେ ଯୋଗ ଦେଇଥିଲେ । ପ୍ରତି ଦୁଇ ବର୍ଷରେ ଥରେ ଭାରତ ଜର୍ମାନୀ ଆନ୍ତଃ ସରକାରୀ ଲୋଚନା ଅନୁଷ୍ଠିତ ହୋଇଥାଏ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିନିଧି ମଣ୍ଡଳରେ ବିଦେଶ ମନ୍ତ୍ରୀ ଏସ୍‍. ଜୟଶଙ୍କର ଓ ଜର୍ମାନର ବିଦେଶ ମନ୍ତ୍ରୀ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ସେ ଜର୍ମାନୀର ନିବେଶକାରୀମାନଙ୍କୁ ଭାରତର ଯୁବକମାନଙ୍କ ଉପରେ ପୁଞ୍ଜିନିବେଶ କରିବା ପାଇଁ ଆହ୍ୱାନ କରିଥିଲେ । ଏହି ଆଲୋଚନାକାଳରେ ଜଳବାୟୁ ସହଯୋଗ, ଗବେଷଣା ଓ ବିକାଶ ଭଳି ବିଭିନ୍ନ ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଗତକାଲି ଉଭୟ ଦେଶ ମଧ୍ୟରେ ଗ୍ରୀନ୍‍ ଏନର୍ଜୀକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷରିତ
ହୋଇଥିଲା । ଏହା ପରେ ଉଭୟ ନେତା ମିଳିତ ବିବୃତ୍ତି ଜାରି କରିଥିଲେ ।


ଏହି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଗତ କିଛି ବର୍ଷ ହେଲା ଭାରତ ଜର୍ମାନୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଉଲ୍ଲେଖନୀୟ ପ୍ରଗତି ହୋଇଛି । ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଆଲୋଚନା ବୈଠକରେ ଦୁଇ ଦେଶର ସହଭାଗିତାକୁ ନୂଆ ଦିଗ ପ୍ରଦାନ କରିବ । ଭାରତ ୟୁରୋପିୟାନ୍‍ ୟୁନିୟନ୍‍ ସହ ମୁକ୍ତ ବ୍ୟାପାର ବୁଝାମଣା କରିବାର ପ୍ରକ୍ରିୟାକୁ ତ୍ୱରିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଛନ୍ତି । ରୁଷ-ୟୁକ୍ରେନ୍‍ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ବିଚାରରେ ଯୁଦ୍ଧରେ କେହି ବିଜୟୀ ହୁଅନ୍ତି ନାହିଁ । ଏହା ଦ୍ୱାରା ସମସ୍ତଙ୍କର କ୍ଷତି ହେବା ସହିତ ବିଶ୍ୱରେ ତେଲର ଦାମ୍‍ ଆକାଶଛୁଆଁ ହୋଇଛି ।

ବିଶ୍ୱରେ ଖାଦ୍ୟ ଓ ସାରର ମଧ୍ୟ ଅଭାବ ଦେଖାଦେଇଛି । ଭାରତ ସବୁବେଳେ ଶାନ୍ତିର ପକ୍ଷରେ ରହିଛି । ଆଲୋଚନା ଦ୍ୱାରା ଏହି ସଂକଟର ସମାଧାନ ସମ୍ଭବପର ବୋଲି ଭାରତ ବିଶ୍ୱାସ କରେ । ଅନ୍ୟ ପକ୍ଷରେ ଜର୍ମାନୀର ଚାନ୍‍ସେଲର ଭାରତକୁ ଏସିଆରେ ନିଜର ବୃହତ ସହଭାଗୀ ଭାବେ ଦର୍ଶାଇଛି ।
ସୂଚନା ଯୋଗ୍ୟ ଜର୍ମାନୀ ଚାନ୍‍ସେଲର ଶ୍ରୀ ସୋଲ୍‍ଜଙ୍କ ସହ ଭାରତ-ଜର୍ମାନୀ ଆନ୍ତଃ ସରକାରୀ ଆଲୋଚନାରେ ଶ୍ରୀ ମୋଦୀ ପ୍ରଥମଥର ପାଇଁ ଯୋଗ ଦେଇଛନ୍ତି । ଜର୍ମାନୀର ନୂଆ ସରକାରଙ୍କ ପାଇଁ ଏହା ଦୁଇଦେଶ ମଧ୍ୟରେ ପ୍ରଥମ ସରକାରୀ ଆଲୋଚନା । ଗତବର୍ଷ ଡିସେମ୍ବର ମାସରେ ଜର୍ମାନୀର ନୂଆ ସରକାର ଗଠନ ହୋଇଥିଲା ।


ପ୍ରଧାନମନ୍ତ୍ରୀ ତାଙ୍କ ଜର୍ମାନୀ ଗସ୍ତ ଶେଷକରି ଆଜି କୋପେନ୍‍ ହେଗେନ୍‍ ଅଭିମୁଖେ ଯାତ୍ରା କରିବେ । ଡେନ୍‍ମାର୍କ ପ୍ରଧାନମନ୍ତ୍ରୀ ମେଟ୍‍ ଫେଡ୍ରିକ୍‍ସନଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ସେଠାକୁ ଗସ୍ତ କରିବେ । ଏହା ଡେନମାର୍କକୁ ତାଙ୍କର ପ୍ରଥମ ଗସ୍ତ ହେବ ଓ ସେଠାକର ଜଣେ ପ୍ରଧାନମନ୍ତ୍ରୀଙ୍କ ସହ ତୃତୀୟ ଶିଖର ବୈଠକ ସ୍ତରୀୟ କଥାବାର୍ତ୍ତା ହେବ । କଥାବାର୍ତ୍ତାରେ ଅନେକ ଦ୍ୱିପକ୍ଷୀୟ ପ୍ରସଙ୍ଗ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗମାନ ସ୍ଥାନ ପାଇବ । ଶ୍ରୀ ମୋଦୀ ଭାରତ-ଡେନ୍‍ମାର୍କ ବ୍ୟବସାୟୀକ ଫୋରମ୍‍ରେ ଯୋଗଦେବେ ଓ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‍ବୋଧନ ଦେବେ ।
ଶ୍ରୀ ମୋଦୀ ଦ୍ୱିତୀୟ ଭାରତ- ନର୍ଦିକ ଶିଖର ବୈଠକରେ ଯୋଗଦେବେ । ସେ ଡେନମାର୍କ, ଆଇସ୍‍ଲ୍ୟାଣ୍ଡ, ଫିନ୍‍ଲ୍ୟାଣ୍ଡ, ସ୍ୱିଡେନ୍‍ ଓ ନରୱେ ର ପ୍ରଧାନମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବେ । ଶ୍ରୀ ମୋଦୀ ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ୟାରିସ୍‍ରେ କିଛି ସମୟ ରହି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରନ୍‍ଙ୍କୁ ସାକ୍ଷାତ କରିବେ । ତାଙ୍କର ଫ୍ରାନ୍ସକୁ ଏହି ଗସ୍ତ ଦୁଇଦେଶ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ପାଇଁ ସୁଯୋଗ ପ୍ରଦାନ କରିବ ।

Comments are closed, but trackbacks and pingbacks are open.