ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୨ ମାଟ୍ରିକ୍ ପରୀକ୍ଷା ପାଇଁ ବିସ୍ତୃତ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଏପ୍ରିଲ୍ ୨୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି, ସକାଳ ୮ଟାରୁ
ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ ଏବଂ ପ୍ରତି ପରୀକ୍ଷାର ଅବଧି ୨ ଘଣ୍ଟା ରହିବ । କେବଳ ଗଣିତ ପରୀକ୍ଷା ପାଇଁ ୨ ଘଣ୍ଟା ୧୫ ମିନିଟ୍ ସମୟ ଦିଆଯିବ । ଟି.ଏଲ୍.ଭି. ଓ ଭିଜୁଆଲ୍ ଆର୍ଟ ବ୍ୟତୀତ ଅନ୍ୟ ସମସ୍ତ ପରୀକ୍ଷା ୮୦ ମାର୍କ ବିଶିଷ୍ଟ ହେବ । ୮୦ ମାର୍କ ମଧ୍ୟରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ଓ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ରହିବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି, ସମୁଦାୟ ୪ ସେଟ୍ ପ୍ରଶ୍ନପତ୍ର ରହିବ ।
ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ଅଲଗା ପ୍ରଶ୍ନପତ୍ର ରହିବ । ପିଲାମାନେ ନିଜ ନିଜ ସ୍କୁଲ୍ରେ ପରୀକ୍ଷା ଦେବେ ଏବଂ ଯଦି କୌଣସି ସ୍କୁଲ୍ରେ ସୁବିଧା ନ ଥିବ, ତେବେ ପିଲାମାନେ ଅନ୍ୟ ସ୍କୁଲ୍ରେ ପରୀକ୍ଷା ଦେଇପାରିବେ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ନବମ ଶ୍ରେଣୀ ପରୀକ୍ଷା ନେଇ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଏପ୍ରିଲ୍ ୧୩ ତାରିଖରୁ ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା-୨ ଆରମ୍ଭ ହେବ । ଏହା ଏପ୍ରିଲ୍ ୨୧ ତାରିଖରେ ଶେଷ ହେବ । ସକାଳ ୮ଟାରୁ ପ୍ରଥମ ସିଟିଂ ପରୀକ୍ଷା ହେବ । ପିଲାମାନେ ନିଜ ସ୍କୁଲ୍ରେ ପରୀକ୍ଷା ଦେବେ । ତେବେ ଏହି ପରୀକ୍ଷାର ମୂଲ୍ୟାୟନ ଅନ୍ୟ ସ୍କୁଲ୍ରେ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।