ରାଜ୍ୟର ସମସ୍ତ ଗ୍ରାମ ପଂଚାୟତର ନାୟବ୍ ସରପଂଚ ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ନିଯୁକ୍ତ
ହୋଇଥିବା ନିର୍ବାଚନ ଅଧିକାରୀମାନେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦେବେ ଓ ୧୧ଟାରୁ ସାଢ଼େ
୧୧ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ରଗୁଡ଼ିକୁ ଯାଂଚ କରାଯିବ ଏବଂ ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ରଖାଯାଇଛି । ମଧ୍ୟାହ୍ନ ୧୨ଟାରୁ
ଦିନ ଗୋଟାଏ ପର୍ଯ୍ୟନ୍ତ ନାୟବ୍ ସରପଂଚ ପଦବୀ ନିମନ୍ତେ ଭୋଟଗ୍ରହଣ କରାଯିବ ଓ ମତଦାନ ପରେ ପରେ ମତଗଣନା କରାଯାଇ ଫଳାଫଳ
ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଂଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି ତଥା ଉପସଭାପତି ପଦବୀଗୁଡ଼ିକ ପରୋକ୍ଷ ନିର୍ବାଚନ ମାଧ୍ୟମରେ ପୂରଣ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଗତ ଫେବୃଆରୀ ୧୫ ତାରିଖରେ ନିର୍ଦ୍ଦେଶନାମା ଜାରି କ ରିଥିଲେ । ରାଜ୍ୟର ସମସ୍ତ ପଂଚାୟତ ସମିତିର ଅଧ୍ୟକ୍ଷ ପଦବୀ ନିମନ୍ତେ ୧୨ ତାରିଖରେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ଓ ଉପାଧ୍ୟକ୍ଷ ପଦବୀ
ନିମନ୍ତେ ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବ । ସେହିପରି ଚଳିତ ମାସ ୧୩ ତାରିଖରେ ସଭାପତି ପଦବୀ ନିମନ୍ତେ ଏବଂ ୨୫ ତାରିଖ ଦିନ
ଉପସଭାପତି ପଦବୀ ନିମନ୍ତେ ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।
ଉପରୋକ୍ତ ପଦବୀଗୁଡ଼ିକର ନିର୍ବାଚନ ନିମନ୍ତେ ନିଯୁକ୍ତ ହୋଇଥିବା ନିର୍ବାଚନ ଅଧିକାରୀମାନେ ନିର୍ଦ୍ଧାରିତ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ରୁ
ସାଢ଼େ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ ଓ ସାଢ଼େ ୧୧ଟାରୁ ସାଢ଼େ୧୨ଟା ପର୍ଯ୍ୟନ୍ତ ୍ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଂଚ
କରାଯିବ ।
ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ରଗୁଡ଼ିକୁ ପ୍ରତ୍ୟାହାର କରାଯାଇପାରିବ । ସେହିଦିନ ଅପରାହ୍ନ ସାଢ଼େ ଗୋଟାଏରୁ ୪ ଟା ମଧ୍ୟରେ ଭୋଟଗ୍ରହଣ କରାଯିବ ଓ ପରେ ପରେ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ । ଉକ୍ତ ପଦବୀଗୁଡ଼ିକ ନିମନ୍ତେ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ
ଅଂଶଗ୍ରହଣ ନିମନ୍ତେ ଥିବା ସଭ୍ୟ/ସଭ୍ୟା କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ଗୃହ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଶାନ୍ତି, ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିମନ୍ତେ ବିହିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।