କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି-ଭଦ୍ରାଚଳମ୍ ରେଳ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଜୁନାଗଡ଼ଠାରୁ ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ପ୍ରାୟ ଶେଷ ହୋଇଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି । ବର୍ଷ ବର୍ଷ
ଧରି ପଡ଼ିରହିଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ୍ଣ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି । ଏହି ସର୍ଭେ କାର୍ଯ୍ୟ ଶେଷ ହେଲେ ଜମି ଅଧିଗ୍ରହଣ ଓ ପରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ । ୧୭୩ କିଲୋମିଟରରୁ ଅଧିକ ଏହି ରେଳ ପ୍ରକଳ୍ପକୁ ୨୦୨୧ ମସିହାରେ ରେଳବାଇ ବୋର୍ଡ଼ ଅନୁମତି ପ୍ରଦାନ କରିଥିଲା । ଏଥିପାଇଁ ୨ ହଜାର ୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ରେଳ ପ୍ରକଳ୍ପ ମଧ୍ୟରେ ୪୮ଟି ଗୁରୁତ୍ୱପୂର୍ଣ୍ଣ ଏବଂ ୧୬୫ଟି ଛୋଟ ବ୍ରିଜ୍ ସହିତ ୨୧୩ଟି ସେତୁ ରହିବ । ଓଡ଼ିଶାର ମାଲକାନଗିରି, ବାଦ୍ଲି, କେୱାସିଗୁଡ଼ା, ରାଜଗୁଣ୍ଡା, ମହାରାଜାପଲ୍ଲୀ ଓ ଲୁଣିମାନଗୁଡ଼ା ଆଦି ୬ଟି ଷ୍ଟେସନ ରହିଛି । ଚଳିତ ବର୍ଷଜୁନ୍ ମାସ ସୁଦ୍ଧା ସର୍ଭେ କାର୍ଯ୍ୟ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
କେନ୍ଦ୍ର ରେଳ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବରାଜ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ସେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ମୂଖ୍ୟ ଡାକଘରର ନବନିର୍ମିତ ଭବନକୁ ଲୋକାର୍ପଣ କରିଛନ୍ତି । ଏଥିସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଶାଳପଡ଼ା, ବାଲେଶ୍ୱର ଜିଲ୍ଲାର ଗୋପାଳପୁର ଓ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଉପ-ଡାକଘରକୁ ଲୋକାର୍ପଣ କରିଛନ୍ତି । ଏହିସବୁ ଡାକଘର ପୂର୍ବରୁ ଭଡ଼ାଘରେ କାର୍ଯ୍ୟ କରୁଥିଲା । କେନ୍ଦ୍ର ସରକାରଙ୍କ କ୍ଷୁଦ୍ର ଓ ଦୀର୍ଘମିଆଦୀ ଯୋଜନାରେ ଏହିସବୁ ବିଭାଗୀୟ ଡାକଘର ନିର୍ମାଣ କରାଯାଇଛି । ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଏହିସବୁ ଡାକଘରୁ ସମସ୍ତ ପ୍ରକାର ଗୁଣାତ୍ମକ ଡାକସେବା ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଏହି ଅବସରରେ ଡାକ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନାଗୁଡ଼ିକ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡାକ ପରିମଣ୍ଡଳର ଉପ-ମହାଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା କିଭଳି ଜନସାଧାରଣଙ୍କ ପାଖରେ ପହଞ୍ଚିପାରିବ, ସେନେଇ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଥିଲେ । ଦେଶର ପ୍ରତ୍ୟେକ ଗ୍ରାମକୁ ୪-ଏ ସେବା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ପୁରୁଣା ୨-ଏ ସେବାକୁ ମଧ୍ୟ ୪-ଏ ରେ ପରିବର୍ଦ୍ଧିତ କରାଯିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବି.ଜେ.ପି. ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ବିଧାୟକ ଆଦିତ୍ୟ ମାଡ଼ୀ, ବିଶାଖାପାଟଣା ରେଳବାଇ ଡିଭିଜନାଲ୍ ମ୍ୟାନେଜର ଅନୂପ କୁମାର ଶତପଥୀ ପ୍ରମୁଖ ବହୁ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କୋରାପୁଟ ରେଳ ଷ୍ଟେସନଠାରେ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ଦୈନିକ ସ୍ୱତନ୍ତ୍ର ପାସେଞ୍ଜର୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ।
Comments are closed, but trackbacks and pingbacks are open.