ମହାନଦୀର ଉପରମୁଣ୍ଡରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ କରି ଚାଲିଛି । ଏହାକୁ କେନ୍ଦ୍ର କରି ଉପୁଜିଥିବା ବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍ ମଧ୍ୟ ଏହା ଉପରେ କୌଣସି ପ୍ରତିବନ୍ଧକ ଲଗାଉ ନାହାନ୍ତି । ଅନ୍ୟ ପକ୍ଷରେ ଏ ନେଇ ତିନି ବର୍ଷ ମଧ୍ୟରେ ଟ୍ରିବ୍ୟୁନାଲ୍ ଚୂଡ଼ାନ୍ତ ରିପୋର୍ଟ ଦେବାର ନିୟମ ଥିଲେ ହେଁ ଏ ପର୍ଯ୍ୟନ୍ତ ଏହା ଦେଇପାରି ନାହାନ୍ତି । ଇତିମଧ୍ୟରେ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳକୁ ଆହୁରି ଦୁଇବର୍ଷ ବୃଦ୍ଧି କରାଯାଇଛି ।
ଏହାର ଫାଇଦା ନେଇ ଛତିଶଗଡ଼ ମଧ୍ୟ ବନ୍ଧ ପରେ ବନ୍ଧ ନିର୍ମାଣ କରିଚାଲିଛି । ତେବେ ଏହି ସମୟ ମଧ୍ୟରେ ଛତିଶଗଡ଼ କେତେ ବନ୍ଧ ନିର୍ମାଣ କାର୍ଯ୍ୟ ଶେଷ କରିଛି ବୋଲି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଲିଖିତ ପ୍ରଶ୍ନର ଉତ୍ତର ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦେଇଛନ୍ତି । ସେ କହିଛନ୍ତି, ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୮ ମସିହାରେ ଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା ।
ବିଶେଷ କରି ଭାରତୀୟ ସମ୍ବିଧାନର ଆନ୍ତଃରାଜ୍ୟ ନଦୀଜଳ ବିବାଦ ନିୟମ, ୧୯୫୬ ଅନୁଯାୟୀ ଟ୍ରିବ୍ୟୁନାଲ୍ ଗଠନର ତିନି ବର୍ଷ ମଧ୍ୟରେ ପ୍ରାଧିକରଣର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଜଣାଇବାର ନିୟମ ରହିଛି ।