କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୪ ଦିନ ପାଇଁ ଘୋଷଣା କରାଯାଇଥିବା ଲକ୍ଡାଉନ୍ ଆସନ୍ତା ବୁଧବାର ସକାଳଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଲକ୍ଡାଉନ୍ ସମୟରେ ଶନିବାର ଓ ରବିବାର ଦିନ ପୂର୍ବଭଳି ସମ୍ପୂର୍ଣ୍ଣ ସପ୍ତାହାନ୍ତ ସଟ୍ଡାଉନ୍ ବଳବତ୍ତର ରହିବ । ସକାଳ ୬ଟାରୁ ୧୨ଟା ମଧ୍ୟରେ ଲୋକମାନେ ପନିପରିବା ସଂଗ୍ରହ କରିପାରିବେ । ପନିପରିବା କିଣିବା ସମୟରେ ଯାନବାହନ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ସେହିଭଳି ଯାତ୍ରୀବାହୀ ପରିବହନ ସମ୍ପୂର୍ଣ୍ଣ ବନ୍ଦ୍ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କଠାରୁ ଅନୁମତିପ୍ରାପ୍ତ ଅନୁଷ୍ଠାନ ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷା, ପ୍ରଶିକ୍ଷଣ ଏବଂ କୋଚିଂ ସେଣ୍ଟର ସମ୍ପୂର୍ଣ୍ଣ ଭାବରେ ବନ୍ଦ୍ ରହିବ ।
ତେବେ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ଦ୍ୱାରା ହେବାକୁଥିବା ପରୀକ୍ଷା ରାଜ୍ୟ ସରକାରଙ୍କର ଅନୁମତି ସହ କାର୍ଯ୍ୟକାରୀ
ହୋଇପାରିବ ।
ଅନ୍ୟପକ୍ଷରେ ପ୍ରଦର୍ଶନୀ, ବାଣିଜ୍ୟମେଳା, ବ୍ୟାବସାୟିକ ବୈଠକକୁ ସମ୍ପୂର୍ଣ୍ଣଭାବରେ ନିଷେଧ କରାଯାଇଛି । ପୂର୍ବଭଳି ଧର୍ମାନୁଷ୍ଠାନ, ସିନେମା ହଲ୍, ମାର୍କେଟ କମ୍ପେ୍ଲକ୍ସ, ମଲ୍, ଜିମ୍, ସ୍ପୋଟ୍ର୍ସ କମ୍ପେ୍ଲକ୍ସ, ସୁଇମିଂପୁଲ୍, ମନୋରଞ୍ଜନ ଉଦ୍ୟାନ, ଥିଏଟର ବାର୍ ଏବଂ ପ୍ରେକ୍ଷାଳୟ ଆଦି ବନ୍ଦ ରହିବ । ସେହିପରି ସେଲୁନ୍, ସ୍ପା, ବିୟୁଟିପାର୍ଲର ଆଦି ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିବାହ କାର୍ଯ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିବା ପରେ ସର୍ବାଧିକ ୫୦ଜଣ ବ୍ୟକ୍ତିବିଶେଷଙ୍କୁ ସାମିଲ ହୋଇପାରିବେ । ସେହିଭଳି ଶୁଦ୍ଧିକ୍ରିୟାରେ ୨୦ ଜଣରୁ ଅଧିକ ବ୍ୟକ୍ତି ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏହି ଲକ୍ଡାଉନ୍ ସମୟରେ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ସେବା ଚାଲୁରହିବ । ସେହିଭଳି ଉପସ୍ୱାସ୍ଥ୍ୟକେନ୍ଦ୍ର, ଔଷଧ ଦୋକାନ, ଜନୌଷଧି କେନ୍ଦ୍ର ଇତ୍ୟାଦି ଖୋଲାରହିବ । ଟିକାକରଣ ଏବଂ କରୋନା ପରୀକ୍ଷା ଜାରି ରହିବ । ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏବଂ କୋଭିଡ ନାଇଣ୍ଟିନ୍ ଲଢ଼େଇରେ ସାମିଲ ଥିବା ସମସ୍ତ ସ୍ୱାସ୍ଥ୍ୟସେବା ସଂସ୍ଥା ଖୋଲା ରହିବ ।