ଲୋକସଭା ନିର୍ବାଚନ: ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି, ସନ୍ଧ୍ୟାରେ ଏଗଜିଟ ପୋଲ, ୨୩ରେ ଫଳାଫଳ
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପରିପ୍ରେକ୍ଷୀରେ ରବିବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଅନ୍ତିମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ଟି ଆସନରେ ମତଦାନ ଚାଲିଛି । ଆଜି ସନ୍ଧ୍ୟା ୫ଟାରେ ଏଗଜିଟ ପୋଲ ଆସିବ । ଏଥି ପାଇଁ ଦେଶର ଜନତା ଆଗାମୀ ସରକାର କାହାର ହାତରେ ନ୍ୟସ୍ତ ରହିବ ସେ ନେଇ ଅପେକ୍ଷା କରିଛନ୍ତି । ମେ’ ମାସ ୨୩ ସକାଳ ୮ଟାରୁ ଭୋଟ ଗଣତି ହୋଇ ବିଳମ୍ବିତ ରାତି ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।
ଏହି ପର୍ଯ୍ୟାୟରେ ଦେଶର କିଛି ହେଭିୱେଟ ନେତାଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ବାରାଣସୀ ଆସନରୁ ମୋଦୀ ଓ ପାଟନା ସାହିବ ଆସନରୁ ରବିଶଙ୍କର ପ୍ରସାଦ ଛିଡ଼ା ହୋଇଛନ୍ତି । ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା ପାଟନା ସାହିବରେ ରବିଶଙ୍କରଙ୍କ ବିପକ୍ଷରେ ଛିଡ଼ା ହୋଇଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ସକାଳୁ ଭୋଟ ଦେଇଛନ୍ତି ।
ଆଜିର ମତଦାନରେ ୧୦.୧୭ କୋଟି ମତଦାତା ସାମିଲ ହେଉଛନ୍ତି । ଏହି ମତଦାତା ମାନେ ୯୧୮ ଜଣ ପ୍ରାର୍ଥୀଙ୍କ ପାଇଁ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ପଂଜାବରେ ଓ ଉତ୍ତରପ୍ରଦେଶରେ ୧୩-୧୩ ଆସନ, ପଶ୍ଚିମବଂଗରେ ୯ ଆସନ, ବିହାରରେ ଓ ମଧ୍ୟପ୍ରଦେଶରେ ୮-୮ ଆସନ, ହିମାଚଳ ପ୍ରଦେଶ ଓ ଝାଡ଼ଖଣ୍ଡରେ ୪-୪ ଆସନ ଓ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ଚାଲିଛି ।