ଏଥର ନିର୍ବାଚନରେ କ’ଣ ଓଡ଼ିଶାବାସୀଙ୍କ ପାଇଁ ଏକ ବିକଳ୍ପ ଆସିଯ଼ାଇଛି  ?

0 1,329

ଭୁବନେଶ୍ୱର  : 2019ର ନିର୍ବାଚନରେ ପୂର୍ବଭାରତର ଦୁଇଟି ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ଆଖି । କାରଣ ଏହି ଦୁଇଟି ରାଜ୍ୟରେ ଦୁଇଟି ଆଞ୍ଚଳିକ ଦଳ (ଯ଼ଥାକ୍ରମେ ବିଜେଡି଼ ଓ ତୃଣମୂଳ କଂଗ୍ରେସ) ବିଗତ ଦୁଇ ଦଶନ୍ଧି ଧରି ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇଆସିଛନ୍ତି । କିନ୍ତୁ  ଏଥର ପରିସ୍ଥିତି ଟିକିଏ ଭିନ୍ନ ହେବା ପରି ଲାଗୁଛି  । ପ୍ରଥମ ଥର ପାଇଁ ଏହି ଦୁଇ ଆଞ୍ଚଳିକ ଦଳ ବିଜେପିଠାରୁ ବିପଦ ଆଶଙ୍କା କରୁଛନ୍ତି । ଆମେ ଏହି ଆଲେଖ୍ୟରେ ଓଡ଼ିଶା ସଂପର୍କରେ ଆଲୋଚନା କରିବା ।

ବିଜୁ ଜନତା ଦଳ (ବିଜେଡି) ଗତ ଦୁଇ ଦଶନ୍ଧି ଅର୍ଥାତ ଲଗାତାର 4 ଥର ନିର୍ବାଚିତ ହୋଇ ଓଡ଼ିଶାରେ ଶାସନ କରୁଛି । ଦଳର ସଫଳତାର ଏକ ମୁଖ୍ୟ କାରଣ ହେଲା ଏହାର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତି ଓ କୌଣସି ବିକଳ୍ପର ଅଭାବ । କିନ୍ତୁ ଏଥର କେନ୍ଦ୍ରରେ ଶାସନ କରୁଥିବା ବିଜେପି ଓଡ଼ିଶା ଉପରେ ବିଶେଷ ଫୋକସ କରୁଛି ଓ ନିଜକୁ ବିଜେଡିର ଏକ ବିକଳ୍ପ ଭାବେ ଉପସ୍ଥାପିତ କରିବାକୁ ଉଦ୍ୟମ ଚଳାଇଛି । ଏଥିପାଇଁ ବିଜେପି ନିଜ ସଂଗଠନକୁ ମଝବୁତ କରିବାରେ ଲାଗିଛି । ବୈଜୟନ୍ତ ପଣ୍ଡା, ଦାମରାଉତ ଓ ବିଜୟ ମହାପାତ୍ରଙ୍କ ପରି ଓଡ଼ିଶାର ଟାଣୁଆ ନେତାଙ୍କୁ ନିଜ ଶିବିରକୁ ନେଇଯ଼ିବା ପରେ ବିଜେଡ଼ିର ଅନେକ ଅସନ୍ତୁଷ୍ଟ ନେତାଙ୍କୁ ମଧ୍ୟ ସ୍ଥାନ ଦେଇଛି । ବିଜେପି ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଓ ଜାତୀୟତାବାଦୀ ଭାବମୂର୍ତ୍ତି ଓ ବିଭିନ୍ନ ଜନକଲ୍ୟାଣକାରୀ କେନ୍ଦ୍ରୀୟ ସ୍କିମ ଓ ବିଜେଡ଼ିର ବିଫଳତାକୁ ଉପସ୍ଥାପିତ କରି ଲଢୁଛି  । ପ୍ରଥମ ଥର ପାଇଁ ବିଜେପି ଓଡ଼ିଶାରେ ନିଜକୁ ଏକ ବିକଳ୍ପ ଭାବେ ସ୍ଥାପିତ କରିପାରିଛି ।

ଅନ୍ୟପକ୍ଷରେ ବିଜେଡ଼ି ଶିବିରରେ ଏବେ କେତେକ ଦୁର୍ବଳତା ଫୁଟି ବାହାରକୁ ବାହାରିଛି । ପୂର୍ବରୁ ଯ଼େଉଁ ନେତାମାନେ ସୁପ୍ରିମୋଙ୍କ ଆଗରେ ମୁଣ୍ଡ ଟେକିବାକୁ ସାହସ କରୁନଥିଲେ ଏବେ ସେମାନେ ଏବେ ଦଳ ଛାଡ଼ିବାକୁ ପଛଘୁଞ୍ଚା ଦେଉନାହାନ୍ତି । ବିଜେଡ଼ି ନିଜ ସଭାପତି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ସୁରକ୍ଷିତ ରଖିବାରେ ସଫଳ ହୋଇପାରିଥିଲେ ମଧ୍ୟ ଏଥର ଦଳ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ବିଜେଡ଼ି ପାଇଁ ସ୍ଥିତି ପୂର୍ବପରି ସନ୍ତୋଷଜନକ ନହିଁ । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ନିଜର ନିୟମିତ ଆସନ ହିଂଜିଳି ଓ  ପଶ୍ଚିମ ଓଡ଼ିଶାରୁ ଲଢିବା ଏହି ସଂଦେହକୁ ଦୃଢ କରୁଛି । କେବଳ ପଶ୍ଚିମ ଓଡ଼ିଶା ନୁହେଁ, କେତେକ ପ୍ରମୁଖ ଆସନରେ ଦଳର ଅନ୍ତଃକନ୍ଦଳ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି ।

ଏସବୁ ସତ୍ତ୍ବେ ରାଜ୍ୟରେ ବିଜେପି ତୁଳନାରେ ବିଜେଡ଼ି ଏବେ ମଧ୍ୟ ବେଶ ସୁବିଧାଜନକ ସ୍ଥିତିରେ ରହିଛି ଓ ପୂର୍ବତୁଳନାରେ କିଛି ସିଟ କମିଲେ ମଧ୍ୟ ପୁଣି ସରକାର ଗଢିବାର ସମ୍ଭାବନା ରହିଛି ।

 

Leave A Reply