ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ – ପ୍ରଧାନମନ୍ତ୍ରୀ

ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଦିଗରେ ଏକ ବୃହତ ପଦକ୍ଷେପ - ପ୍ରଧାନମନ୍ତ୍ରୀ

0 525

ନୂଆଦିଲ୍ଲୀ.- ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହିତ ସାରା ଦେଶର ୩ ହଜାରରୁ ଊର୍ଦ୍ଧ୍ଵ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମ ସଂଯୁକ୍ତ ହୋଇଥିଲା ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ ଜରିଆରେ ବ୍ୟାଙ୍କ ସେବା ଅତି ସହଜରେ ଦେଶର ଅପହଂଚ ଏବଂ ଉପାନ୍ତ ଅଂଚଳରେ ରହୁଥିବା ଲୋକମାନଙ୍କ ନିକଟରେ ପହଁଚିପାରିବ ।

ଆର୍ଥିକ ଅନ୍ତର୍ଭୂକ୍ତୀକରଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପୂର୍ବରୁ ଜନଧନ ଯୋଜନା କାର୍ଯ୍ୟକାରୀ କରିଥିବା ସେ ସ୍ମରଣ କରାଇଦେଇଥିଲେ । ସେ କହିଥିଲେ ଯେ ଆଜି ଆଇପିପିବିର ଶୁଭାରମ୍ଭ କରାଯିବା ଏହି ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପଦକ୍ଷେପ । ସେ କହିଥିଲେ ଯେ ଆଜି 650ଟି ଜିଲ୍ଲାରେ ଆଇପିପିବି ଶାଖା ଖୋଲାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରାମାଂଚଳରେ ପୋଷ୍ଟମେନଙ୍କୁ ଦୀର୍ଘଦିନ ହେବ ସମ୍ମାନିତ ଏବଂ ଗ୍ରହଣୀୟ ବ୍ୟକ୍ତି ଭାବେ ମାନ୍ୟତା ମିଳିଆସିଛି । ଆଧୁନିକ ପ୍ରଯୁକ୍ତିର ପ୍ରଚଳନ ସତ୍ତ୍ୱେ ପୋଷ୍ଟମେନ ମାନଙ୍କ ପ୍ରତି ବିଶ୍ୱାସ ପୂର୍ବ ଭଳି ଅତୁଟ ରହିଛି । ସେ କହିଥିଲେ ଯେ ବର୍ତ୍ତମାନର ଢାଂଚା ଏବଂ ବ୍ୟବସ୍ଥାରେ ସଂସ୍କାର ଆଣିବା ସରକାରଙ୍କ ଆଭିମୁଖ୍ୟ, ଏବଂ ଏହାଦ୍ୱାରା ସେଗୁଡ଼ିକୁ ବଦଳୁଥିବା ସମୟ ସହିତ ରୂପାନ୍ତରିତ କରାଯାଇପାରିବ । ସେ କହିଥିଲେ ଯେ ସାରା ଦେଶରେ ୧.୫ ଲକ୍ଷରୁ ଉର୍ଦ୍ଧ୍ଵ ପୋଷ୍ଟ ଅଫିସ ରହିଛି ଏବଂ ତିନି ଲକ୍ଷ ପୋଷ୍ଟମେନ ଓ “ଗ୍ରାମୀଣ ଡାକ ସେବକ” ଦେଶର ଲୋକମାନଙ୍କ ସହିତ ଯୋଡ଼ି ହୋଇ ରହିଛନ୍ତି  । ବର୍ତ୍ତମାନ ଆର୍ଥିକ ସେବା ଯୋଗାଇବା ଲାଗି ସେମାନଙ୍କୁ ସ୍ମାର୍ଟଫୋନ ଏବଂ ଡିଜିଟାଲ ଉପକରଣ ଦିଆଯିବା ଉଚିତ ।

ଆଇପିପିବିର ଲାଭ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଟଙ୍କା ପଠାଇବା, ସରକାରୀ ଅର୍ଥ ହସ୍ତାନ୍ତର, ବିଲ ପଇଠ ଏବଂ ନିବେଶ ଓ ବୀମା ଭଳି ଅନ୍ୟ ସେବା ଉପଲବ୍ଧ ହୋଇପାରିବ । ଘରେ ଘରେ ପୋଷ୍ଟମେନମାନେ ଏହି ସେବା ଯୋଗାଇଦେବେ । ସେ କହିଥିଲେ ଯେ ଆଇପିପିବି ଡିଜିଟାଲ କାରବାର ଯୋଗାଇଦେବ ଏବଂ କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଲାଭ ପହଁଚାଇପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ପରଠାରୁ କେନ୍ଦ୍ର ସରକାର ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରହିଥିବା ବିକୃତି ଏବଂ ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ପ୍ରୟାସ କରି ଆସୁଛନ୍ତି ଯାହା ବିଶୃଙ୍ଖଳିତ ଋଣ ଅଗ୍ରୀମ କାରଣରୁ ଅବ୍ୟବସ୍ଥିତ ହୋଇପଡ଼ିଥିଲା । ସେ କହିଥିଲେ ଯେ ବର୍ତ୍ତମାନ ଋଣଗୁଡ଼ିକୁ ସମୀକ୍ଷା କରାଯାଉଛି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପେଶାଦାର ଆଭିମୁଖ୍ୟ ଗ୍ରହଣ କରାଯାଉଛି । ଦୋଷୀମାନଙ୍କୁ ସୁନିଶ୍ଚିତ ଦଣ୍ଡ ଦେବା ସକାଶେ ପଳାତକ ଅର୍ଥନୈତିକ ଅପରାଧ ଆଇନ ପ୍ରଣୟନ ଭଳି ପଦକ୍ଷେପ ନିଆଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ୧୩ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ମୁଦ୍ରା ଋଣ ଗରିବ ଏବଂ ମଧ୍ୟମବର୍ଗଙ୍କୁ ପ୍ରଦାନ କରାଯାଇସାରିଛି । ସେ କହିଥିଲେ ଯେ ଆଜି ପୂର୍ବାପେକ୍ଷା ଶ୍ରେଷ୍ଠ ଏସୀୟ କ୍ରୀଡ଼ା ପ୍ରଦର୍ଶନ ସହିତ ଅର୍ଥବ୍ୟବସ୍ଥା ଚମତ୍କାର ଅଭିବୃଦ୍ଧି ପ୍ରଦର୍ଶନ କରୁଥିବାରୁ ସାରା ଦେଶ ସମ୍ପୂର୍ଣ୍ଣ ଭାବେ ନୂଆ ଆତ୍ମବିଶ୍ୱାସ ନେଇ ଉଭା ହୋଇଛି । ଲୋକମାନଙ୍କ ସମ୍ମିଳିତ ପ୍ରୟାସ ଯୋଗୁ ଏହା ଫଳପ୍ରଦ ହୋଇଥିବା ସେ କହିଥିଲେ । ସେ କହିଥିଲେ ଯେ ଆଜି ଭାରତ କେବଳ ବିଶ୍ୱର ଦୃତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇରହିନାହିଁ, ବରଂ ଦ୍ରୁତ ଗତିରେ ଦାରିଦ୍ର୍ୟ ଦୂର କରିଚାଲିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩ ଲକ୍ଷ “ଡାକ ସେବକ” ଗ୍ରାମର ପ୍ରତ୍ୟେକ ଘରେ, ପ୍ରତ୍ୟେକ କୃଷକ ନିକଟରେ ଏବଂ ଉଦ୍ୟୋଗୀ ନିକଟରେ ଆର୍ଥିକ ସେବା ପହଁଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ ଉଲ୍ଲେଖ କରିଥିଲେ ଯେ ଗତ ମାସଗୁଡ଼ିକରେ “ଡାକ ସେବକ”ମାନଙ୍କ କଲ୍ୟାଣ ପାଇଁ ଏବଂ ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ସେମାନଙ୍କ ଦରମାରେ ବୃଦ୍ଧି ହୋଇଥିବା ସେ ଉଲ୍ଲେଖ କରିଥିଲେ । ଆସନ୍ତା କିଛି ମାସ ମଧ୍ୟରେ ସାରା ଦେଶରେ ଥିବା ୧.୫ଲକ୍ଷ ପୋଷ୍ଟ ଅଫିସରେ ଆଇପିପିବି ପହଁଚିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

Leave A Reply